ଉଲୁଣ୍ଡା : ( ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ସୋନପୁର ସମ୍ବଲପୁର ମୁଖ୍ୟରାସ୍ତା ମାଟୁପାଲି (ଠାକୁରପଡା) ଛକ ନିକଟରେ ଗତ ବୁଧବାର ସନ୍ଧ୍ୟାରେ ବିଦ୍ୟୁତ ବିଭାଗ ତଥା ଟିପିଡବ୍ଲୁଓଡିଏଲର ଏକ ବୋଲେରୋ ଉପରେ ହାଇୱା ଚଢି ଯାଇଥିଲା । ଦୁର୍ଘଟଣାରେ ୩ ଜଣ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଚିକିତ୍ସାଧିନ ଥିବା ହାଇୱା ଚାଳକ ଉମେଶ ୟାଦବ (୩୫)ଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏଥିସହ ଉକ୍ତ ଡାକ୍ତରଖାନାରେ ହାଇୱାର ହେଲପର ଦେବେନ୍ଦ୍ର ୟାଦବଙ୍କ ଗୁରୁତର ଅବସ୍ଥାରେ ଚିକିତ୍ସା ଜାରି ରହିଥିବା ଜଣାପଡିଛି । ସୂଚନା ଅନୁଯାୟୀ ସିଣ୍ଢୋଲ ଅଂଚଳରୁ ବକେୟା ବିଦ୍ୟୁତ ଦେୟ ସଙ୍ଗ୍ରହ କରି ବିଦ୍ୟୁତ ବିଭାଗର ୩ ଜଣ କର୍ମଚାରୀ ସନ୍ଧ୍ୟାରେ ଉଲୁଣ୍ଡାକୁ ଫେରୁଥିଲେ । ଉକ୍ତ ସମୟରେ ସାମ୍ନାରୁ ଦୃତଗତୀରେ ଯାଉଥିବା ଏକ ହାଇୱା ଭାରସାମ୍ୟ ହରାଇ ବୋଲେରୋ ଉପରେ ଚଢିଯିବା ସହିତ ରାସ୍ତା ପାର୍ଶ୍ୱ ରେ ଥିବା ଏକ ଗଛକୁ ଧକ୍କା ଦେଇ ଓଲଟି ପଡିଥିଲା । ଅନ୍ୟପଟେ ବୋଲେରୋ ସମ୍ପୁର୍ଣ୍ଣ ଚୂରମାର ହୋଇଯାଇଥିବା ବେଳେ ବୋଲେରୋ ଭିତରେ ଥିବା ଗୌଡଗାଁ ଗ୍ରାମର ଆର୍ତତ୍ରାଣ ପୁରୋହୀତ (୪୦), ପପୁନ ଓରଫ ସଂଜିବ ପାତ୍ର (୨୪) ଏବଂ ନାଏକପଡା ଗ୍ରାମର ସୁଶୀଲ ନାୟକଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଉତେଜନା ପ୍ରକାଶ ପାଇବା ସହିତ ମୃତକଙ୍କୁ କ୍ଷତିପୂରଣ ଦାବିରେ ଉଲୁଣ୍ଡା ଡାକ୍ତରଖାନା ସମ୍ମୁଖରେ ସୋନପୁର – ସମ୍ବଲପୁର ମୁଖ୍ୟ ରାସ୍ତା ଅବରୋଧ କରାଯାଇଥିଲା । ବିଦ୍ୟୁତ ବିଭାଗର ଅଧିକାରୀ ଏବଂ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଟିପିଡବ୍ଲୁଓଡିଏଲ ପକ୍ଷରୁ ମୃତକଙ୍କ ପରିବାରରୁ ଜଣେ ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ଏବଂ ବିଭାଗୀୟ ବୀମା ରାଶି ବ୍ୟତୀତ ପ୍ରତି ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଷ୍ଟାମ୍ପ ପେପରରେ ଲିଖିତ ଦେଇଥିଲେ । ଫଳରେ ବୁଧବାର ରାତି ପ୍ରାୟ ୧ ରେ ରାସ୍ତା ଅବରୋଧ ହଟିବା ସହିତ ଗାଡି ଚଳାଚଳ ସ୍ୱଭାବିକ ହୋଇଥିଲା । ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇ ପଡିଥିବା ବେଳେ ହାଇୱା ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଏଭଳି ଏକ ମର୍ମନ୍ତୁତ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି । ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହାଇୱା ଏବଂ ବୋଲେରୋ ଜବତ କରି ଅଧିକ ତଦନ୍ତ ଜାରି ରହିଥିବା ପୁଲିସ ସୂଚନା ଦେଇଛି । ତେବେ ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠି ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।
ମାଟୁପାଲି ଛକ ନିକଟରେ ବୋଲେରୋ- ହାଇୱା ଦୁର୍ଘଟଣା : ମୃତ୍ୟୁ ସଂଖ୍ୟା ଚାରି କୁ ବୃଦ୍ଧି
