ଉଲୁଣ୍ଡା : (ସୌମିତ୍ରି ମେହେର) ଦିନ ତମାମ ପରିଶ୍ରମ ପରେ ଘରକୁ ଫେରୁଥିଲେ ୩ ଜଣ ବିଦ୍ୟୁତ କର୍ମଚାରୀ । ଅଳ୍ପ କିଛି ରାସ୍ତା ଅତିକ୍ରମ ପରେ ନିଜ ନିଜ ଘରେ ପହଂଚିଥାନ୍ତେ ୩ ରୋଜଗାରିଆ ପୁଅ । କିନ୍ତୁ ଅଧା ରାସ୍ତାରେ ଜମ ରୂପରେ ମାଡି ଆସି ବୋଲେରୋ ଉପରେ ଚଢି ଯାଇଥିଲା ହାଇୱା । କିଏ କଣ ଭାବିବା ପୂର୍ବରୁ ଆରପାରୀକୁ ଚାଲି ଯାଇଥିଲା ତିନୋଟି ଅମୂଲ୍ୟ ଜୀବନ । ବୁଧବାର ସନ୍ଧ୍ୟାରେ ଉଲୁଣ୍ଡା ଥାନା ମାଟୁପାଲି ଛକ ନିକଟରେ ଘଟିଥିବା ଏଭଳି ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ପୁରା ଅଂଚଳକୁ ସ୍ତବ୍ଧ କରି ଦେଇଥିଲା । ଦୁର୍ଘଟଣାର ମାତ୍ର କିଛି ସମୟ ଭିତରେ ଗୌଡଗାଁ ଗ୍ରାମର ଆର୍ତତ୍ରାଣ ପୁରୋହୀତ (୪୦) , ପପୁନ ଓରଫ ସଂଜିବ ପାତ୍ର (୨୪) ଏବଂ ନାଏକପଡା ଗ୍ରାମର ସୁଶୀଲ ନାୟକଙ୍କ ମୃତ୍ୟୁ ଘଟିଥିବା ସୂଚନା ଆସିଥିଲା । ପପୁନ ଏବଂ ସୁଶୀଲ ଉଲୁଣ୍ଡା ଡାକ୍ତରଖାନା ଏବଂ ଆର୍ତତ୍ରାଣ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଣ ହରାଇଥିଲେ । ଉଲୁଣ୍ଡା ପୁଲିସ ସମସ୍ତଙ୍କ ଶବ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲା । ଆର୍ତତ୍ରାଣ ଏବଂ ପପୁନଙ୍କ ଶବ ଏକା ସାଙ୍ଗେ ଗୌଡଗାଁରେ ପହଂଚିବା ପରେ କାନ୍ଦ ବୋବାଳିରେ ପୁରା ଗାଁ ଫାଟି ପଡିଥିଲା । ଗାଁରୁ ଏକା ସାଙ୍ଗେ ଦୁଇଟି କୋକେଇ ଉଠିଥିବା ବେଳେ ଗାଁ ଶ୍ମଶାନରେ ଦୁହିଙ୍କ ଜୁଇ ଜଳୁଥିଲା । ସେହିପରି ସୁଶୀଲଙ୍କ ଶବ ଗାଁରେ ପହଂଚିବା ପରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଗାଁ ଶ୍ମଶାନରେ ଶେଷ କ୍ରିୟା ସମ୍ପନ୍ନ କରାଯାଇଥିଲା । ଆର୍ତତ୍ରାଣଙ୍କ ପରିବାରେ ବିଧବା ମା’, ବିଧବା ସ୍ତ୍ରୀ, ନାବାଳକ ପୁଅ, ନାବାଳିକା ଝିଅ ଏବଂ ସାନଭାଇ ଥିବା ଜଣାପଡିଛି । ସେହିପରି ପପୁନଙ୍କ ପରିବାରରେ କେବଳ ତାଙ୍କ ବିଧବା ମା’ ରହିଥିବା ଜଣାପଡିଛି । ସୁଶୀଲଙ୍କ ପରିବାରରେ ୭ ମାସର ପୁଅ ଓ ବିଧବା ସ୍ତ୍ରୀ ସମେତ ଅଜା, ଆଈ, ମା, ବାପା ଏବଂ ସାନ ଭାଇ ଅଛନ୍ତି । ଘରର ଏକମାତ୍ର ରୋଜଗାରିଆ ପୁଅ ସୁଶୀଲ ଥିବା ବେଳେ ତାଙ୍କୁ ହରାଇ ପରିବାର ପୁରା ଭାଙ୍ଗି ପଡିଛି ।
ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ବିଦ୍ୟୁତ କର୍ମଚାରୀ ଙ୍କ ଏକାଠି ଜଳିଲା ଯୂଇ : ଚାରିଆଡ଼େ କାନ୍ଦ ବୋବାଳି
