ଟିକରାପଡ଼ା କୁ ରାଜସ୍ଵ ଗ୍ରାମ ର ମାନ୍ୟତା ପାଇଁ ଦାବି


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମପଞ୍ଚାୟତର ଟିକିରାପଡାକୁ ଏକ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ ପାଇଁ ସ୍ଥାନୀୟ ବିଧାୟକ ଇଂ ରଘୁନାଥ ଜଗଦଲା ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି ସୁବଳୟା ରାଜସ୍ବ ଗ୍ରାମଠାରୁ ଟିକିରାପଡାଟି ପ୍ରାୟ ଦୁଇ କିଲୋମିଟର ଦୂରରେ ଅବସ୍ଥିତ ଓ ତିନୋଟି ଓ୍ବାର୍ଡ ବିଶିଷ୍ଟ ଏହି ପଡାରେ ପ୍ରାୟ ଛଅ ହଜାର ଲୋକ ବାସ କରନ୍ତି । ଏତେ ଜନସଂଖ୍ୟା ବିଶିଷ୍ଟ ଏହି ପଡାଟି ଆଜି ପର୍ଯ୍ୟନ୍ତ ଏକ ରାଜସ୍ବ ଗ୍ରାମର ମାନ୍ୟତା ପାଇ ନଥିବାରୁ ତଦନୁରୂପ ସରକାରୀ ସହାୟତା ଆଦିରୁ ସବୁବେଳେ ବଞ୍ଚିତ ଓ ଚିର ଅବହେଳିତ ହୋଇ ରହିଛି। ଦୀର୍ଘ ଦିନର ଦାବି ସତ୍ତ୍ବେ ଏହା ଆଜି ପର୍ଯ୍ୟନ୍ତ ଏକ ରାଜସ୍ବ ଗ୍ରାମର ମାନ୍ୟତା ପାଇପାରୁନାହିଁ । ଗତ ଶନିବାର ଦିନ ଗ୍ରାମବାସୀଙ୍କ ତରଫରୁ ଧ୍ରୁବ ମେହେର ଓ ମୁରଲି ମେହେରଙ୍କ ନେତୃତ୍ବରେ ଏକ ପ୍ରତିନିଧିଦଳ ଭୁବନେଶ୍ବର ଯାଇ ମାନ୍ୟବର ବିଧାୟକଙ୍କୁ ଏ ସଂପର୍କିତ ଏକ ଦାବିପତ୍ର ଦେଇଥିବା ବେଳେ ଆଜି ମାନ୍ୟବର ବିଧାୟକ ରାଜସ୍ବ ମନ୍ତ୍ରୀଙ୍କୁ ଭେଟି ଟିକିରାପଡାକୁ ଏକ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରିବାକୁ ଦାବି କରିଥିଲେ । ଆଗାମୀ ଦିନରେ ଟିକିରାପଡା ନିଶ୍ଚିତ ଏକ ରାଜସ୍ବ ଗ୍ରାମର ମାନ୍ୟତା ପାଇବ ବୋଲି ମନ୍ତ୍ରୀଙ୍କ ଠାରୁ ଦୃଢ ପ୍ରତିଶୃତି ମିଳିବା ପରେ ଟିକିରାପଡା ବାସୀ ବେଶ ଖୁସି ଅଛନ୍ତି।