ବହଲପଦର ଗ୍ରାମ ଉପଭୋକ୍ତା ଙ୍କ ବିଦ୍ୟୁତ କାଟ ଯୋଗୁଁ ଗ୍ରାମବାସୀଙ୍କ ରାସ୍ତାରୋକ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲାରେ ଟାଟା ପାୱାରର ମନମାନି ଅଭିଯୋଗ ହେଉଛି । ବିନା ନୋଟିସରେ ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଗ୍ରାମର ସମସ୍ତ ଉପଭୋକ୍ତା ଙ୍କ ବିଦ୍ୟୁତ ବିଚ୍ଛିନ୍ନ କରିଦିଆଗଲା । ଫଳରେ ଗ୍ରାମବାସୀ ପ୍ରତିବାଦ କରି ରବିବାର ସକାଳୁ ବୀରମହାରାଜପୁର – ଅମରପାଲି – ଯୁଯୁମୁରା ରାସ୍ତା କୁ ଅବରୋଧ କରି ଆନ୍ଦୋଳନ କରିଥିଲେ । ଦୀର୍ଘ ସମୟ ଧରି ରାସ୍ତା ରୋକ କରିବା ଫଳରେ ରାସ୍ତାର ଉଭୟ ପାର୍ଶ୍ଵ ରେ ଗାଡି ମଟର ଅଟକି ରହିଥିଲା । ଗ୍ରାମବାସୀ ଙ୍କ ଅଭିଯୋଗ ଅନୁସାରେ ବିଦ୍ୟୁତ ବିଭାଗ ଜବର ଦସ୍ତି ଟଙ୍କା ଆଦାୟ କରିବାକୁ ଧମକ ଦେଲେ । ଉପଭୋକ୍ତା ଙ୍କୁ ସମୟ ନଦେଇ ସିଧା ସଳଖ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଦେଲେ । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଟାଟା କମ୍ପାନୀ ର କର୍ମଚାରୀ ମାନେ ବହଲପଦର ଗ୍ରାମ କୁ କିଛି ଦିନ ତଳେ ବିଦ୍ୟୁତ୍ ବକେୟା ବିଲ ସଂଗ୍ରହ କରିବା ପାଇଁ ଯାଇଥିଲେ । ସେଠାରେ ପ୍ରତି ଉପଭୋକ୍ତା ପିଛା ୨ ହଜାର ଟଙ୍କା ଦେବାକୁ ବାଧ୍ୟ କରିଥିଲେ । ତେବେ ଗ୍ରାମବାସୀ ପ୍ରତି ମାସରେ ନଗଦ ବିଲ ଦେଉ ଥିବାରୁ ହଜାରେ ଟଙ୍କା ଦେବାକୁ ରାଜି ହୋଇଥିଲେ । ହେଲେ ବିଦ୍ୟୁତ୍ କର୍ମଚାରୀ ଓ ଅଧିକାରୀ ଦୁଇ ହଜାର ଟଙ୍କା ଦେବେ ନଚେତ୍ ବିଦ୍ୟୁତ୍ କାଟି ଦେବାକୁ ଧମକ ଦେଇଥିଲେ । କେବଳ ସେତିକି ନୁହେଁ ଗତ ଶନିବାର ଦିନ ହଠାତ୍ ବିନା ସୂଚନାରେ ବିଦ୍ୟୁତ୍ ବିଚ୍ଛିନ୍ନ କରିଦେଲା ବିଦ୍ୟୁତ ବିଭାଗ। । ଏବେ ସୁବର୍ଣ୍ଣପୁର ଜିଲ୍ଲାର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଥିବାବେଳେ ଗାଁ ଗାଁ ରେ ପାଣି ସମସ୍ୟା ରହିଛି । ଏଭଳି ପରିସ୍ଥିତିରେ ବିଦ୍ୟୁତ୍ ବିଚ୍ଛିନ୍ନ କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ । କେବଳ ସେତିକି ନୁହେଁ ବକେୟା ବିଦ୍ୟୁତ୍ ସଂଗ୍ରହ ନହେଲେ ବି ବିଦ୍ୟୁତ୍ ବିଚ୍ଛିନ୍ନ ନ କରିବାକୁ ନିର୍ଦ୍ଦେଶ ଦେଇ ଥିବା ଶକ୍ତିମନ୍ତ୍ରୀ କହୁଥିବା ବେଳେ ମାନୁନାହାନ୍ତି ବିଦ୍ୟୁତ୍ କର୍ମଚାରୀ ଓ ଅଧିକାରୀ । ତେବେ ବିଦ୍ୟୁତ୍ ସଂଯୋଗ ନହେବା ଯାଏଁ ଧାରଣା ରୁ ହଟିବୁ ନାହିଁ ବୋଲି ଅଡି ବସିଥିଲେ ଗ୍ରାମବାସୀ । ରାସ୍ତାରୋକ ଖବର ପାଇ ଠେଙ୍ଗୋ ଡ୍ୟାମ ଫାଣ୍ଡି ରୁ ପୋଲିସ ଆସି ଲୋକଙ୍କୁ ବୁଝାସୁଝା କରିଥିଲେ । ଏହା ମଧ୍ୟରେ ବୀରମହାରାଜପୁର ଥାନା ରେ ଗ୍ରାମର ଏକ ପ୍ରତିନିଧି ଦଳ , ଟାଟା ପାୱାର ସେକ୍ସନ ଅଧିକାରୀ , ଏସଡିପିଓ ହେମନ୍ତ ରାଓ , ଥାନା ଅଧିକାରୀ ସୋଭକର ସେଠ୍ ଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା । ପରେ ଗ୍ରାମକୁ ବିଦ୍ୟୁତ ସଂଯୋଗ କରାଗଲା । ପ୍ରାୟ ୪ ଘଣ୍ଟା ର ରାସ୍ତା ରୋକ ପରେ ରାସ୍ତା ଅବରୋଧ ହଟିଥିଲା । ଏନେଇ ବିଭାଗୀୟ ସେକସନ ଅଧିକାରୀ ବିଜୟ କୁମାର ସାହୁ ଙ୍କୁ ପଚାରିବାରୁ ଉକ୍ତ ଗ୍ରାମକୁ ବିଦ୍ୟୁତ ସଂଯୋଗ କରାଗଲିଣି ବୋଲି କହିଥିଲେ ।