ଓଡ଼ିଶା ଡଟ୍ ନ୍ୟୁଜ୍: ବାପାମାଆ ପିଲାଙ୍କ ଭଲ ପାଇ ବାହା ହେବାକୁ ବିରୋଧ କଲେ ସେମାନେ ଘରୁ ଲୁଚି ପଳାଇ ବାହା ହୋଇଯାଉଥିଲେ । ହେଲେ ଏବେ ଏମିତି କରିବାକୁ ପୂର୍ବରୁ ଶହେ ଥର ଚିନ୍ତା କରିବାକୁ ପଡ଼ିବ । କାରଣ, ବାପାମାଆଙ୍କ ଇଚ୍ଛା ବିରୋଧରେ ବିବାହ କଲେ ଆଉ ମିଳିବନି ପୋଲିସ ସୁରକ୍ଷା । ଏମିତି କିଛି ରାୟ ଦେଇଛନ୍ତି ଆହ୍ଲାହାବାଦ ହାଇକୋର୍ଟ ।
କୋର୍ଟ କହିଛନ୍ତି, ପିତାମାତାଙ୍କ ଇଚ୍ଛା ବିରୋଧରେ ଯାଇ ବିବାହ କରୁଥିବା ପ୍ରେମିକମାନେ ପରେ ପୋଲିସ ସୁରକ୍ଷା ମାଗିଥାନ୍ତି । ଯଦି ତାଙ୍କ ଜୀବନ ଏବଂ ସ୍ବାଧୀନତା ପ୍ରତି ପ୍ରକୃତ ବିପଦ ନଥାଏ ତା’ହାଲେ ତାଙ୍କୁ ସୁରକ୍ଷା ଦିଆଯାଇପାରିବ ନାହିଁ ।
ଜଷ୍ଟିସ ସୌରଭ ଶ୍ରୀବାସ୍ତବ ଏକ ପ୍ରେମୀ ଯୁଗଳଙ୍କ ସୁରକ୍ଷା ପାଇଁ ଆଗତ ଏକ ଆବେଦନର ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି । ସେ କହିଛନ୍ତି, ଯେଉଁମାନେ ନିଜ ଇଚ୍ଛାରେ ବିବାହ କରନ୍ତି ସେମାନେ ପୋଲିସ ସୁରକ୍ଷା ପାଇବାର ଅଧିକାର ନାହିଁ । ଯଦି ତାଙ୍କ ଜୀବନ ପ୍ରତି ବିପଦ ଥାଏ ତା’ହାଲେ ସୁରକ୍ଷା ଦିଆଯାଇପାରିବ ।
ସୂଚନାଯୋଗ୍ୟ, ଦଲିଲ ଓ ବୟାନ ଯାଞ୍ଚ ପରେ କୋର୍ଟ ସ୍ପଷ୍ଟ ହୋଇଯାଇଥିଲେ, ସେମାନଙ୍କ ଜୀବନ ପ୍ରତି କୌଣସି ବିପଦ ନାହିଁ । ଏମିତି ସ୍ଥିତିରେ କୋର୍ଟ ସେମାନଙ୍କ ଆବେଦନକୁ ଖାରଜ କରିଦେବା ସହ ଏପରି ରାୟ ଦେଇଛନ୍ତି ।