ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ବିଶିପଡ଼ା ଠାରେ ବିନିକା ଅଞ୍ଚଳର ଜଣେ ଯୁବକଙ୍କୁ ଆକ୍ରମଣ ନେଇ ଏକ ଭିଡିଓ ଭାଇରାଲ ହେବା ପରେ ଦୁଇ ବିଜେଡି ନେତା ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଓ ପୂର୍ବତନ ବିନିକା ବ୍ଲକ ଅଧ୍ୟକ୍ଷ ଅଶୋକ ନନ୍ଦ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି । ବୀରମହାରାଜପୁର ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଲୁହା କହିଥିଲେ ଯେ ବିଶିପଡ଼ା ଠାରେ ଏକ କୁକୁଡ଼ା ଫାର୍ମରେ କାର୍ଯ୍ୟ କରୁଥିବା ନୀତିଶ ନାମକ ଜଣେ ଯୁବକ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ କେତେକ ବିଜେଡି ନେତାଙ୍କ ବିରୋଧରେ ଆପର୍ତ୍ତିଜନକ ମନ୍ତବ୍ୟ ଦେଇ ଆସୁଥିଲେ । ଘଟଣା ଦିନ ତାଙ୍କୁ ମାମଲାର ସମାଧାନ ପାଇଁ ବିଶିପଡ଼ାକୁ ଡକା ଯାଇଥିଲା । ଯୁବକଙ୍କୁ ବୁଝାସୁଝା କରିବା ପରେ ମାମଲାର ସମାଧାନ ମଧ୍ୟ ହୋଇଯାଇଥିଲା । ତେବେ ଅନ୍ୟ ଜଣେ ବ୍ୟକ୍ତିଙ୍କ ପ୍ରରୋଚନାରେ ପଡି ଯୁବକ ଜଣକ ପରେ ଥାନାରେ ଅଭିଯୋଗ କରିଥିବା ପ୍ରକାଶ କରିଥିଲେ । ଅପର ପକ୍ଷରେ ଶ୍ରୀ ନନ୍ଦ ଘଟଣା ସମୟରେ ସେ ଉପସ୍ଥିତ ନ ଥିବା ଓ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣଙ୍କୁ ମାମଲାର ସମାଧାନ ପାଇଁ ଅନୁରୋଧ କରିଥିବା କଥା ପ୍ରକାଶ କରିଥିଲେ । ପୁଲିସ ପକ୍ଷରୁ ଘଟଣାର ଉପଯୁକ୍ତ ତର୍ଜମା ଓ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଦାବି କରିଛନ୍ତି ।
ଭି ଡି ଓ ଭାଇରାଲ୍ ମାମଲରେ ଦୁଇ ବିଜେଡି ନେତା ଙ୍କ ସ୍ପଷ୍ଟିକରଣ
