Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ରେ ପଥପ୍ରାନ୍ତ ବନୀକରଣ ଯୋଜନା ବାଟବଣା

– ମୁଣ୍ଡଫଟା ଖରାରେ ଛାଇ ଟିକିଏ ନାହିଁ –
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ବିଭିନ୍ନ ରାସ୍ତା ଗଡରେ ପଥପ୍ରାନ୍ତ ବନୀକରଣ ଯୋଜନା ଲକ୍ଷାଧିକ ଟଙ୍କା ବ୍ୟୟରେ ଗଛ ବନୀକରଣ ହୋଇଥିଲା । ଅସାଧୁ କର୍ମଚାରୀ ଓ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଲଗାହୋଇଥିବା ଗଛ ଗୁଡ଼ିକୁ ମରି ଶୁଖି ନଷ୍ଟ ହେବାରେ ଲାଗିଛି। କିଛି ରାସ୍ତା ରେ ସୂଚନା ଫଳକ ଲାଗିଛି ହେଲେ ଗଛ ନାହିଁ । କେବଳ କାଗଜପତ୍ର ରେ ଗଛ ଲଗାଇବା ଦର୍ଶାଇ ସରକାରୀ ଟଙ୍କା ଲୁଟୁଥିବା ଅଭିଯୋଗ ହେଉଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ରାସ୍ତାରେ ଯାଉଥିବା ପଥଚାରୀ ମାନେ ଖରାରୁ ଆଶ୍ବସ୍ତ ପାଇଁ ଟିକିଏ ଗଛ ଛାଇ ପାଇବା ଏବେ ସ୍ବପ୍ନ ହୋଇଗଲାଣି। ଜିଲ୍ଲାରେ ବର୍ତ୍ତମାନ ୪୦ ଡିଗ୍ରୀ ରୁ ଅଧିକ ତାପମାତ୍ରା ରହୁଥିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।‌ ପ୍ରତ୍ୟେକ ବର୍ଷ ବନୀକରଣ ଯୋଜନା ରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଗୋଟିଏ ଗଛ ସୁଦ୍ଧା ରାସ୍ତା କଡ଼ରେ ଦେଖାଯାଉ ନାହିଁ । ଫଳରେ ପଥଚାରୀ ମାନେ ଗଛ ଛାଇ ରୁ ବଞ୍ଚିତ ରହୁଛନ୍ତି। ଏପରି ସମୟରେ ପଥପ୍ରାନ୍ତ ଗଛ ଛାଇର ଘୋର ଅଭାବ ଅନୁଭୂତି ହେଉଛି। ବୀରମହାରାଜପୁର ଠାରୁ ଗରିଆମୁଣ୍ଡା ରାସ୍ତା ଉଭୟ ପାର୍ଶ୍ଵରେ କୋଟି କୋଟି ଟଙ୍କା ବ୍ୟୟରେ ପାଞ୍ଚ ଥର ବନୀକରଣ ଯୋଜନାରେ ଗଛ ଲଗାଯାଇଛି । ହେଲେ ହାତଗଣତି କେତୋଟି ଗଛ ଥିବା ବେଳେ ଅନ୍ୟ ସବୁ ନଷ୍ଟ ହେଇଥିବା ଦେଖିବାକୁ ମିଳିଛି। ଉକ୍ତ ରାସ୍ତା ରେ କେତେ ଗଛ ବଞ୍ଚିଛି ବିଭାଗ ପାଖରେ ମଧ୍ୟ ଖବର ନାହିଁ ।‌ ଗ୍ରାମାଞ୍ଚଳର ରାସ୍ତା ନ କହିଲେ ଭଲ, କେବଳ ସୁରକ୍ଷା ବାଡ ରହିଛି । ଏନେଇ ବୀରମହାରାଜପୁର ବନାଞ୍ଚଳ ଅଧିକାରୀ ଅବିନାଶ ବେରିହା ଙ୍କୁ ଯୋଗାଯୋଗ କରାଯିବାରୁ ଫୋନ ସୁଇଚ ଅପ ଥିବାରୁ ପ୍ରତିକ୍ରିୟା ମିଳିପାରିନାହିଁ । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ