କେବଳ ଇମ୍ରାନ ନୁହନ୍ତି, ପାକିସ୍ତାନର ୭ ପୂର୍ବତନ PM ହୋଇଛନ୍ତି ଗିରଫ, ଜଣଙ୍କୁ ମିଳିଥିଲା ଫାଶୀ ଦଣ୍ଡ


ନୂଆଦିଲ୍ଲୀ: ଭାରତର ପଡୋଶୀ ଦେଶ ପାକିସ୍ତାନ ସଂପ୍ରତି ମୁସ୍କିଲ ସମୟ ଦେଇ ଗତି କରୁଛି। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଗିରଫଦାରୀ ପ୍ରତିବାଦରେ ଜଳି ଉଠିଛି ପାକିସ୍ତାନ। ଇମ୍ରାନଙ୍କ ଗିରଫଦାରୀକୁ ନେଇ ଆର୍ଥିକ ସଙ୍କଟରେ ତଳିତଳାନ୍ତ ପାକିସ୍ତାନରେ ରାଜନୈତିକ ଡ୍ରାମା ମଙ୍ଗଳବାର ଚରମରେ ପହଞ୍ଚି ଯାଇଛି। ପାକିସ୍ତାନ ରାଜନୀତିରେ ଏହା ପ୍ରଥମ ଘଟଣା ନୁହେଁ ଯେଉଁଠି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଏହି ପରି ଢଙ୍ଗରେ ଗିରଫ କରାଯାଇଛି। ଏହା ପୂର୍ବରୁ ମଧ୍ୟ ୭ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏପରିକି ଜଣଙ୍କୁ ତ ଫାଶୀରେ ଚଢା ଯାଇଥିଲା।

ହୁସେନ ଶହୀଦ ସୁହରାବର୍ଦୀ
ମହମ୍ମଦ ଅଲ୍ଲୀ ଜିହ୍ନାଙ୍କ ନିକଟତର କୁହାଯାଉଥିବା ହୁସେନ ଶହୀଦ ୧୯୫୬ ସେପ୍ଟେମ୍ବରରୁ ୧୯୫୭ ଅକ୍ଟୋବର ପର୍ଯ୍ୟନ୍ତ ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ। ତାଙ୍କୁ ୧୯୬୦ରେ ଆଇନ ଉଲ୍ଲଂଘନ ଅଭିଯୋଗରେ ଗିରଫ କରାଯାଇଥିଲା। ବିନା କୌଣସି କୋର୍ଟ ଶୁଣାଣିରେ କରାଚି ସେଣ୍ଟ୍ରାଲ ଜେଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।

ଜୁଲଫିକାର ଅଲ୍ଲୀ ଭୁଟ୍ଟୋ
ଜୁଲଫିକାର ଅଲ୍ଲୀ ଭୁଟ୍ଟୋ ୧୯୭୩ ଅଗଷ୍ଟରୁ ୧୯୭୭ ଜୁଲାଇ ପର୍ଯ୍ୟନ୍ତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ। ୧୯୭୪ରେ ତାଙ୍କୁ ରାଜନୈତିକ ବିରୋଧୀଙ୍କ ହତ୍ୟା ଷଡଯନ୍ତ୍ର ରଚିବା ଅଭିଯୋଗରେ ୧୯୭୭ରେ ଗିରଫ କରାଯାଇଥିଲା। ପରେ ଲାହୋର ହାଇକୋର୍ଟର ଜଷ୍ଟିସ ଖ୍ଵାଜା ମହମ୍ମଦ ସାମଦାନୀ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ତେବେ ମାର୍ଶଲ ଲ ରେଗୁଲେସନ ୧୨ ଆଧାରରେ ଏହାର ୩ ଦିନ ପରେ ପୁଣି ଥରେ ତାଙ୍କୁ ଗିରଫ କରାଯାଇଥିଲା। ୧୯୭୯ ଏପ୍ରିଲ ୪ରେ ଭୁଟ୍ଟୋଙ୍କୁ ଫାଶୀ ଦିଆଯାଇଥିଲା।

ବେନଜିର ଭୁଟ୍ଟୋ
ବେନଜିର ଭୁଟ୍ଟୋ ଦୁଇ ଥର ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ। ସେ ପ୍ରଥମ ଥର ୧୯୮୮ ଅଗଷ୍ଟରୁ ୧୯୯୦ ପର୍ଯ୍ୟନ୍ତ ଏବଂ ପୁନର୍ବାର ୧୯୯୩ ଅକ୍ଟୋବରରୁ ୧୯୯୬ ନଭେମ୍ବର ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ଵ ସମ୍ଭାଳିଥିଲେ। ପାକିସ୍ତାନର ଏହି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୧୯୯୯ରେ ଦୁର୍ନୀତି ଅଭିଯୋଗରେ ପାଞ୍ଚ ବର୍ଷ ଦଣ୍ଡାଦେଶ ଦିଆଯାଇଥିଲା। ଏହା ପରେ ସେ ୭ ବର୍ଷ ନିର୍ବାସନରେ ରହିଥିଲେ। ମାତ୍ର ଦେଶକୁ ଫେରିବା ପରେ ଆତ୍ମଘାତୀ ଆକ୍ରମଣରେ ତାଙ୍କର ହତ୍ୟା କରାଯାଇଥିଲା।

ୟୁସୁଫ ରଜା ଗିଲାନୀ
ୟୁସୁଫ ରଜା ଗିଲାନୀ ୨୦୦୮ରେ ମେଣ୍ଟ ସରକାରରେ ପ୍ରଧାନମନ୍ତ୍ରୀ ଥିଲେ। ଦୁର୍ନୀତି ଅଭିଯୋଗରେ ତାଙ୍କ ବିରୋଧରେ ଗିରଫ ପରଓ୍ଵାନା ଜାରି କରାଯାଇଥିଲା। ନକଲି କମ୍ପାନୀ ନାମରେ ଆର୍ଥିକ ଲେଣଦେଣ କରିବା ଅଭିଯୋଗରେ ୨୦୧୨ରେ ତାଙ୍କୁ ପଦରୁ ହଟାଯାଇଥିଲା।

ନଓ୍ଵାଜ ସରିଫ
ନଓ୍ଵାଜ ସରିଫଙ୍କୁ ୧୯୯୯ରେ କାରଗିଲ ଯୁଦ୍ଧ ପରେ କ୍ଷମତା ହରାଇବାକୁ ପଡ଼ିଥିଲା। ସେ ତିନି ଥର ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ। ପରଭେଜ ମୁଶାରଫ ସରକାର ସମୟରେ ତାଙ୍କୁ ୧୦ ବର୍ଷ ଅନ୍ୟ ଦେଶରେ ନିର୍ବାସନରେ ରହିବାକୁ ପଡ଼ିଥିଲା। ପାକିସ୍ତାନ ଫେରିବା ପରେ ତାଙ୍କୁ ଗିରଫ କରାଯାଇଥିଲା ଏବଂ ନିର୍ବାସନର ବାକି ଅବଧି ପୂରା କରିବା ପାଇଁ ତାଙ୍କୁ ସାଉଦି ଆରବ ପଠାଇ ଦିଆଗଲା।

ଶାହିଦ ଖାକାନ ଅବାସୀ
ଶାହିଦ ଖାକାନ ଅବାସୀ ୨୦୧୭ ଜାନୁଆରୀରୁ ୨୦୧୮ ମେ ପର୍ଯ୍ୟନ୍ତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ। ୨୦୧୯ ଜୁଲାଇରେ ଏନଏବି ଟିମ୍ ତାଙ୍କୁ ଗିରଫ କରିଥିଲା। ତାଙ୍କ ବିରୋଧରେ ୨୦୧୩ରେ ଏଲଏନଜିର ଆମଦାନୀ ଚୁକ୍ତିରେ ଦୁର୍ନୀତି ଅଭିଯୋଗ ଲାଗିଥିଲା। ଯେଉଁ ସମୟରେ ଏହି ଚୁକ୍ତି ସ୍ଵାକ୍ଷର ହୋଇଥିଲା, ସେହି ସମୟରେ ଅବାସୀ ପେଟ୍ରୋଲିୟମ ମନ୍ତ୍ରୀ ଥିଲେ। ତାଙ୍କୁ ୨୦୨୦ ଫେବୃଆରୀରେ ଜାମିନ ମିଳିଥିଲା।

ଇମ୍ରାନ ଖାନ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଦୁର୍ନୀତି ଅଭିଯୋଗରେ ୨୦୨୩ ମେ ୯ ତାରିଖରେ ଗିରଫ କରାଯାଇଥିଲା। ତାଙ୍କୁ ଏନଏବି ଏବଂ ପାକ୍ ରେଞ୍ଜର୍ସ ଗିରଫ କରିଥିଲେ। ତାଙ୍କ ଗିରଫଦାରୀ ପରେ ତାଙ୍କର ହଜାର ହଜାର ସମର୍ଥକ ଅନେକ ସହରରେ ହିଂସାତ୍ମକ ପ୍ରଦର୍ଶନ କରିଛନ୍ତି।