ଓଡ଼ିଶା ଡଟ୍ ନ୍ୟୁଜ୍: ଏବେ ଆଇପିଏଲ ଚାଲିଛି । ଆଉ ଡ୍ରିମ୧୧, ମାଇଁ ୧୧ ସର୍କଲ ପରି ଆପରେ ମାତ୍ର କିଛି ଟଙ୍କା ଲଗାଇ କୋଟିପତି ହେଉଛନ୍ତି ଲୋକେ । ନିଶା ଏମିତି ଘାରିଛି ଯେ ଯାହାକୁ ଦେଖିବ ସେ କେବଳ ଏହି ବିଷୟରେ କଥା ହେଉଛନ୍ତି । ଆଉ ହାରି ଭିତରେ ସାଇବର ଠକ ବି ବେଶ ସର୍କିୟ ଅଛନ୍ତି । ସମାନ ନାଁରେ ନକଲି ଆପ୍ କରି ସଫା କରି ଦେଉଛନ୍ତି ଲୋକଙ୍କ ଆକାଉଣ୍ଟ । ମାତ୍ର ୪୯ ଟଙ୍କାରେ କୋଟିପତି ହେବା ସ୍ୱପ୍ନ ଦେଖି ଲକ୍ଷ ଲକ୍ଷ ହରାଉଛନ୍ତି ଲୋକେ । ଝାଡ଼ଖଣ୍ଡରେ ଏଭଳି ହିଁ ଏକ ଗ୍ୟାଙ୍ଗ୍କୁ ଗିରଫ କରିଛି ପୋଲିସ । ତେଣୁ ଡ୍ରିମ୍-୧୧ କିମ୍ବା ଏଭଳି କୌଣସି ଆପ୍ ବ୍ୟବହାର କରୁଥିଲେ ସାବଧାନ ହୋଇ ଯାଆନ୍ତୁ ।
ଗିରଫ ହୋଇଥିବା ଗ୍ୟାଙ୍ଗ୍ର ସଦସ୍ୟମାନେ ଡ୍ରିମ୍-୧୧ରେ ସଫଳତା ପାଇ ପାରୁ ନଥିବା ୟୁଜର୍ସଙ୍କୁ ଟାର୍ଗେଟ୍ କରୁଥିଲେ । ଏଭଳି ଲୋକଙ୍କୁ ଫୋନ୍ କରି ଆଜିର ମ୍ୟାଚ୍ରେ କୋଟିପତି କରାଇ ଦେବାର ସ୍ୱପ୍ନ ଦେଖାଉଥିଲେ । ଏଥିପାଇଁ ୟୁଜର୍ସଙ୍କୁ ୪୯ ଟଙ୍କା କିମ୍ବା ୯୯ ଟଙ୍କା ପଠାଇବାକୁ କହୁଥିଲେ ସାଇବର ଠକ । ଥରେ ଟଙ୍କା ପଠାଇବା ପରେ ୟୁଜର୍ସଙ୍କୁ ବ୍ଲକ୍ କରି ଦେଉଥିଲେ । ଏହାପରେ ସେହି ଟ୍ରାଞ୍ଜାକ୍ସନ୍ ଆଇଡି ବ୍ୟବହାର କରି ସମାନ ଆକାଉଣ୍ଟ୍ରୁ ଯାହା ଟଙ୍କା ରହୁଥିଲା ସବୁ ଲୁଟି ନେଉଥିଲେ । ଝାଡ଼ଖଣ୍ଡରେ ଏଭଳି ଗ୍ୟାଙ୍ଗ୍ ବିଷୟରେ ସୂଚନା ଦେଇ ପୋଲିସ କହିଛି, ଆଇପିଏଲ୍ ଭଳି ସ୍ପୋର୍ଟ୍ସ ସିଜିନ୍ରେ ଏଭଳି ଗ୍ୟାଙ୍ଗର ସଂଖ୍ୟା ବୃଦ୍ଧି ପାଇଥାଏ । ତେଣୁ ଏଥିପ୍ରତି ସଜାଗ ରହିବା ଆବଶ୍ୟକ ।
ଝାଡ଼ଖଣ୍ଡରେ ଏଭଳି ଏକାଧିକ ଅଭିଯୋଗ ସାମ୍ନାକୁ ଆସିବା ପରେ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ତଦନ୍ତ ବେଳେ ଏଭଳି ଏକ ସାଇବର ଠକ ଗ୍ୟାଙ୍ଗ୍କୁ ଗିରଫ କରିଛି ପୋଲିସ । ରାତାରାତି କୋଟିପତି ହେବା ସ୍ୱପ୍ନ ହିଁ ଲୋକଙ୍କୁ ଠକାମିରେ ପକାଉଛି । ଏଣୁ ଏଭଳି କୌଣସି ଆପ୍ ବ୍ୟବହାର କରୁଥିଲେ ସାବଧାନ ରୁହନ୍ତୁ । ବିଶେଷ କରି କେହି ଫୋନ୍ କରି, ଆମକୁ ୪୯ ଟଙ୍କା କିମ୍ବା ୯୯ ଟଙ୍କା ଦିଅନ୍ତୁ କୋଟିପତି କରାଇଦେବୁ କହୁଥିଲେ, ଏହା ଏକ ଫ୍ରଡ୍ କଲ୍ ବୋଲି ଜାଣି ନିଅନ୍ତୁ ଓ ସୁରକ୍ଷିତ ରୁହନ୍ତୁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।