ଓଡ଼ିଶା ଡଟ୍ ନ୍ୟୁଜ୍: ଜମ୍ମୁ ଓ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୮ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ସାରା ବିଶ୍ବକୁ ସ୍ତବ୍ଧ କରି ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଦି ଆରବ ଗସ୍ତରେ ଥିବା ବେଳେ ଏହି ବର୍ବରକାଣ୍ଡ ଭିଆଇଛନ୍ତି ଆତଙ୍କବାଦୀ । ଭୂସ୍ବର୍ଗରେ ଆତଙ୍କବାଦୀଙ୍କ ନର ସଂହାର ପରେ ଦୁଇଦିନିଆ ଆରବ ଗସ୍ତ ଅଧାରୁ ଭାରତ ଫେରି ଆସିଛନ୍ତି ମୋଦି । କିଛି ସମୟ ପରେ ମୋଦୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଯାଉଛି ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ କମିଟି ବୈଠକ । ଆଗକୁ ସରକାର କେତେକ କଠୋର ପଦକ୍ଷେପ ନେଇପାରନ୍ତି ବୋଲି ଅନୁମାନ କରାଯାଉଛି ।
ସାଉଦି ଆରବର ଜେଦ୍ଦାରେ ଆୟୋଜିତ ସରକାରୀ ନୈଶ ଭୋଜିରେ ସାମିଲ ହେବା ସହ ମହମ୍ମଦ ବିନ ସଲମାନଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଥିଲା । ତେବେ ଜମ୍ମୁରେ ଏତେ ବଡ଼ ଆତଙ୍କୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନିଜର ଗସ୍ତକୁ କାଣ୍ଟଛାଣ୍ଟ କରି ରାତାରାତି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି ।
ଆକ୍ରମଣରେ ସମ୍ପୃକ୍ତ ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ । ସେମାନଙ୍କର ଘୃଣ୍ୟ କାର୍ଯ୍ୟସୂଚୀ କେବେ ସଫଳ ହେବ ନାହିଁ । ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଆମର ସଂକଳ୍ପ ଦୃଢ଼ ଏବଂ ଏହା ଆହୁରି ଦୃଢ଼ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ଜମ୍ମୁ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସୀମାରେ ହାଇ ଆର୍ଲଟ ଜାରି କରାଯାଇଛି । ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ଚାଲିଥିବା ବେଳେ ସେନାର ଯବାନ ମାନେ ପଇଁତରା ମାରୁଛନ୍ତି ।
ଆତଙ୍କୀଙ୍କୁ ଖୋଜି ସଫା କରିବାକୁ ସନ୍ଦିଗ୍ଧ ଅଂଚଳରେ ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ । କେବଳ ଜମ୍ମୁ କାଶ୍ମୀର ନୁହେଁ ରାଜଧାନୀ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ସମେତ ଦେଶର ପ୍ରମୁଖ ସ୍ଥାନ ଗୁଡ଼ିକରେ ସୁରକ୍ଷାକୁ ନେଇ ହାଇଆଲର୍ଟ ଜାରି କରାଯାଇଛି । ଗୃହମନ୍ତ୍ରୀ ଅମିତ ଶାହା ଶ୍ରୀନଗରରେ ଏଲଜି ମନୋଜ ସିହ୍ନା, ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସହ ବିଭିନ୍ନ ସୁରକ୍ଷା ଏଜେନ୍ସିର ମୁଖ୍ୟ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି ।
ଆଜି ଗୃହମନ୍ତ୍ରୀ ଆକ୍ରମଣ ଘଟିଥିବା ସ୍ଥାନକୁ ଯାଇ ସ୍ଥିତି ସମୀକ୍ଷା କରିବେ । ଆତଙ୍କୀ ଆକ୍ରମଣରେ ମୋଟ ୨୮ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ଏମାନଙ୍କ ମଧ୍ୟରେ ଦୁଇ ଜଣ ବିଦେଶୀ ନାଗରିକ ଓ ୩ ଜଣ ସ୍ଥାନୀୟ ନାଗରିକ, ଜଣେ ଆଇବି ଅଧିକାରୀ ଅଛନ୍ତି । ମଙ୍ଗଳବାର ଅପରାହ୍ନରେ ପହଲଗାମର ବେସରାନରେ ପ୍ରକୃତିକୁ ଉପଭୋଗ କରୁଥିବା ସମୟରେ ହଠାତ ପର୍ଯ୍ୟଟକଙ୍କ ଉପରକୁ ଅତର୍କିତ ଗୁଳି ଚଳାଇଥିଲେ ଆତଙ୍କବାଦୀ । ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଥିବା ଲୋକେ ପୂରା ଘଟଣା ସମ୍ପର୍କରେ ଯେଉଁ ସୂଚନା ଦେଇଛନ୍ତି, ତାହା ଭୟଙ୍କର । ସେମାନଙ୍କ କହିବା କଥା, ସେନା ପୋଷାକ ପିନ୍ଧି ଆସିଥିବା ଆତଙ୍କୀମାନେ ପର୍ଯ୍ୟଟକଙ୍କ ନାଁ ଓ ଧର୍ମ ପଚାରି ଗୁଳି କରି ଚାଲିଥିଲେ । ଆଉ ଏହି ଆକ୍ରମଣରେ ପ୍ରାଣ ହରାଇଥିଲେ ୨୮ ପର୍ଯ୍ୟଟକ । ଅନେକ ପର୍ଯ୍ୟଟକ ଆହତ ହୋଇ ପହଲଗାମ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।