ଓଡ଼ିଶା ଡଟ୍ ନ୍ୟୁଜ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ସାଉଦୀ ଆରବ ଗସ୍ତ ଅଧାରୁ ଫେରି ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳୁ ପ୍ରଧାନମନ୍ତ୍ରୀ ଫେରିବା ପରେ ସେହି ପାଲମ ବିମାନ ବନ୍ଦରରେ ଉଚ୍ଚସ୍ତରୀୟ କ୍ୟାବିନେଟ ବୈଠକରେ ଯୋଗ ଦେଇଛନ୍ତି । ବୈଠକରେ ଏନଏସଏ ଅଜିତ ଡୋଭାଲ ଏବଂ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ସାମିଲ ହୋଇଛନ୍ତି ।
ପାକିସ୍ତାନ ପାଳିତ ଏହି ଆତଙ୍କୀ ସଙ୍ଗଠନ ଯେଉଁ ନରସଂହାର କରିଛି, ତାହାର ଜବାବ ଦେବାକୁ ବୈଠକରେ ରୋଡମ୍ୟାପ୍ ପ୍ରସ୍ତୁତ ହେଉଛି । ସାରା ଭାରତରେ ଏବେ ପାକିସ୍ତାନ ଓ ଆତଙ୍କବାଦୀଙ୍କୁ ଉଚିତ ଜବାବ ଦେବାକୁ ସ୍ବର ଉଠିଛି । ଏମିତି ଏକ ସ୍ପର୍ଶକାତର ସମୟରେ ସାରା ଦେଶ ଏକ ହୋଇ ଛିଡ଼ା ହୋଇଛି । ଆଉ ଏମିତି ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ଏହି ବୈଠକ ବହୁତ ଗୁରୁତ୍ବ ରଖୁଛି ।
ଏମିତି ବି ଶୁଣିବାକୁ ମିଳୁଛି ଶୀଘ୍ର ଭାରତୀୟ ବୀର ଯବାନଙ୍କ ଆକ୍ସନ ଦେଖିବାକୁ ମିଳିପାରେ । ପିଓକେରେ ପଶି ଆତଙ୍କବାଦୀ ଶିବିର ସମ୍ପର୍ଣ୍ଣ ଭାବେ ଧ୍ବଂସ କରିବାକୁ ଇଣ୍ଡିଆ ଆର୍ମୀ ପ୍ରସ୍ତୁତ ହୋଇ ରହିଛି । ଏଥର କେବଳ ପିଓକେ ନୁହେଁ, ପାକିସ୍ତାନ ସହ ଆର୍ ପାର୍ କି ଲଢ଼ାଇ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏମିତି ଏକ ସ୍ଥିତିରେ ସାରା ବିଶ୍ବ ଭାରତ ସହ ଛିଡ଼ା ହୋଇଛି । ପର୍ଯ୍ୟଟକଙ୍କ ନରସଂହାର ବିଶ୍ବ ନେତାଙ୍କୁ ବି ଦୋହଲାଇ ଦେଇଛି । ଋଷ ରାଷ୍ଟ୍ରପତି ତ ଖୋଲାଖୋଲି ଭାବେ ଆତଙ୍କବାଦୀ ସଙ୍ଗଠନ ଓ ପାକିସ୍ତାନକୁ ଚେତାବନୀ ଦେଇସାରିଛନ୍ତି । ପହଲଗାମ ଆକ୍ରମଣ ପରେ କାହାରିଙ୍କୁ ବି ଛଡ଼ା ଯିବନି, ଖୋଜି ଖୋଜି ମାରିବୁ ବୋଲି ପୁଟିନ କହିଛନ୍ତି । ସେପଟେ ସାଉଦୀ ପ୍ରିନ୍ସ ମୋଦିଙ୍କ ସହ ଆତଙ୍କୀ ଆକ୍ରମଣ ନେି କଥା ହେବା ସହ ଘଟଣାକୁ ନିନ୍ଦା କରିଛନ୍ତି । ଆଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଘଟଣାକୁ ନିନ୍ଦା କରିବା ସହ ଆମେ ଭାରତ ସହ ଅଛୁ ବୋଲି କହିଛନ୍ତି । ଆମେରିକା ଉପରାଷ୍ଟ୍ରପତି ମଧ୍ୟ ଘଟଣାକୁ ନିନ୍ଦା କରିଛନ୍ତି । ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଜି ହଟ୍ ଲାଇନରେ କଥା ହୋଇପାରିନ୍ତି ।