ଓଡ଼ିଶା ଡଟ୍ ନ୍ୟୁଜ୍: ପହଲଗାମରେ ୨୮ ପର୍ଯ୍ୟଟକଙ୍କୁ ଆତଙ୍କବାଦୀ ମାରିବା ପରେ ରକ୍ତ ଚାଉଳ ଚୋବାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପୂରା ଦେଶବାସୀ । ସମସ୍ତଙ୍କ ମୁହାଁରେ ଗୋଟିଏ କଥା । ପାକସ୍ତାନକୁ କଳ୍ପନା ବାହାରର ଜବାବ ଓ ଆତଙ୍କବାଦର ସମୂଳ ନାଶ । ଏହି କ୍ରମରେ ଗତକାଲି ବିହାରରୁ ପ୍ରଧାନମନ୍ତ୍ରୀ କହିଥିଲେ ପାତାଳରେ ଲୁଚିଲେ ବି ଖଷାଜି ବାହାର କରି ମାରିବୁ । ଆଉ ରାତିରେ ଆତଙ୍କବାଦୀଙ୍କ ଘରକୁ ବୋମାରେ ଉଡାଇ ଦେଲେ ସୁରକ୍ଷାକର୍ମୀ ।
ଜମ୍ମୁ-କାଶ୍ମରୀ ପହଲଗାମ୍ ଆକ୍ରମଣରେ ସାମିଲ ୨ ଜଣ ଆତଙ୍କବାଦୀଙ୍କ ଘର ମାଟିରେ ମିଶାଇ ଦିଆଯାଇଛି । ଗୁରୁବାର ରାତିରେ ସୁରକ୍ଷାବଳ ଆତଙ୍କବାଦୀ ଆସିଫ୍ ଶେଖର ଘରକୁ ବୋମାରେ ଉଡାଇ ଦେଇଛନ୍ତି । ଆସିଫ୍ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବର ସ୍ଥାନୀୟ କମାଣ୍ଡର ଓ ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳରେ ତା’ର ଘର ଥିଲା । ସେହିପରି ଆଉ ଜଣେ ସ୍ଥାନୀୟ ଆତଙ୍କବାଦୀ ଆଦିଲ ଗୁରୀର ଅନନ୍ତନାଗ ସ୍ଥିତ ଘରେ ବୁଲଡୋଜର ଚଢାଇ ଦିଆଯାଇଥିବା ସୂଚନା ମିଳିଛି ।
ସୁରକ୍ଷା ଏଜେନ୍ସିର ସୂଚନା ମୁତାବକ, ଆଦିଲ୍ ପହଲଗାମ୍ ଆତଙ୍କୀ ଆକ୍ରମଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ସେ ଅନନ୍ତନାଗ ବିଜବେହରା ନିବାସୀ ଅଟେ । ପହଲଗାମ୍ ଆକ୍ରମଣରେ ସେ ଆତଙ୍କବାଦୀଙ୍କ ଗାଇଡ୍ ଭାବରେ କାମ କରିଥିଲା । ଆଦିଲ ୨୦୧୮ରେ ଅଟାରୀ-ୱାଘା ବର୍ଡର ଦେଇ ପାକିସ୍ତାନ ଯାଇଥିଲା । ସେଠାରୁ ସେ ଆତଙ୍କବାଦ ଟ୍ରେନିଂ ଗ୍ରହଣ କରି ଗତବର୍ଷ ଜମ୍ମୁ-କାଶ୍ମୀର ଫେରିଥିଲା ।
ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି, ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ଷଡଯନ୍ତ୍ରରେ ତା’ର ବଡ଼ ଭୂମିକା ଥିଲା । ସୂଚନା ମିଳିବା ପରେ ଗୁରୁବାର ରାତିରେ ଜମ୍ମୁ-କାଶ୍ମୀର ପ୍ରଶାସନ ଆଦିଲର ଘର ଉପରେ ବୁଲଡୋଜର ଚଢାଇ ମାଟିରେ ମିଶାଇ ଦେଇଛି ।
ଜମ୍ମୁ-କାଶ୍ମୀର ପୋଲିସ ପୂର୍ବରୁ ୩ ଜଣ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିସାରିଛି । ସେମାନେ ହେଲେ ଆସିଫ୍ ଫୌଜି, ସୁଲେମାନ ଶାହ ଓ ଆବୁ ତଲହା । ଏହି ଆତଙ୍କବାଦୀଙ୍କ ସୂଚନା ଦେଲେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି । ଏହି ଆତଙ୍କବାଦୀମାନେ ଗତ ୨୨ ତାରିଖ ଦିନ ପହଲଗାମ୍ ବୈସରନରେ ନରସଂହାର ରଚିଥିଲେ । ପରିବାର ସହ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ନାଁ ଓ ଧର୍ମ ପଚାରି ଗୁଳି ମାରି ହତ୍ୟା କରିଥିଲେ । ଏଥିରେ ୨୮ ଜଣ ନିରୀହ ଲୋକଙ୍କ ମୃତ୍ୟୁ ହୋଇଥିଲା ।