ମାଟିରେ ମିଶିଲା ଆଉ ଦୁଇ ଆତଙ୍କବାଦୀଙ୍କ ଘର


ଓଡ଼ିଶା ଡଟ୍ ନ୍ୟୁଜ୍: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ରକ୍ତମୁଖା ଭାରତ । ଗୋଟି ଗୋଟି କରି ଆତଙ୍କବାଦୀ ଓ ଏମାନଙ୍କୁ ପାଳୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଧମକ ପରେ ଆକ୍ସନ ମୋଡ଼ରେ ଇଣ୍ଡିଆନ୍ ଆର୍ମୀ । ଜମ୍ମୁ ଓ କାଶ୍ମୀରରେ ଆରମ୍ଭ ହୋଇଯାଇଛି ଆତଙ୍କବାଦୀ ନିପାତ ଅଭିଯାନ । ଘରକୁ ଘର ବୁଲି ଯବାନ କରୁଛନ୍ତି ସର୍ଚ୍ଚ ଅପରେସନ । ଏହାରି ଭିତରେ ଦୁଇ ଆତଙ୍କବାଦୀଙ୍କୁ ନର୍କ ଦେଖାଇ ସାରିଲାଣି ଭାରତୀୟ ସେନା । ଏବେ ଅନ୍ୟମାନଙ୍କ ପାଳି ।

ନା କେବଳ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ହେଉଛି, ତାହା ନୁହେଁ । ସେନା ଟାର୍ଗେଟରେ ରହିଛି ସେମାନଙ୍କ ଘର । ପହଲଗାମ ଆକ୍ରମଣରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଆଉ ଦୁଇଟି ଘର ଧ୍ୱଂସ କରିଛି ସେନା । ଏହି ଆତଙ୍କବାଦୀଙ୍କ ଘର ପୁଲୱାମା ପାଖାପାଖି ବୋଲି କୁହାଯାଉଛି । ଶୁକ୍ରବାର ପହଲଗାମ ଆକ୍ରମଣରେ ସନ୍ଦିଗ୍ଧ ଆତଙ୍କବାଦୀ ଆଦିଲ ଏବଂ ଆସିଫଙ୍କ ଘର ମଧ୍ୟ ସେନା ଦ୍ୱାରା IED ବିସ୍ଫୋରଣରେ ଧ୍ୱଂସ କରାଯାଇଥିଲା ।

ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ପ୍ରଶାସନ ଗତକାଲି ରାତିରେ ଦୁଇ ସକ୍ରିୟ ଆତଙ୍କବାଦୀଙ୍କ ଘର ଭାଙ୍ଗି ଦେଇଛି । ଏହି କାର୍ଯ୍ୟାନୁଷ୍ଠାନ ଶୋପିଆନ ଓ କୁଲଗାମ ଜିଲ୍ଲାରେ ନିଆଯାଇଥିଲା । ଶୋପିଆନ ଜିଲ୍ଲାର ଛୋଟିପୋରା ଗାଁରେ ପ୍ରଥମ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା । ଯେଉଁଠି ସକ୍ରିୟ ଲସ୍କର-ଏ-ତୈବା କମାଣ୍ଡର ଶାହିଦ ଅହମ୍ମଦ କୁଟ୍ଟେଙ୍କ ଘର ସମ୍ପୂର୍ଣ୍ଣ ଧ୍ୱଂସ କରିଦିଆଯାଇଛି । ଶାହିଦ ଗତ ୩ରୁ ୪ ବର୍ଷ ଧରି ଆତଙ୍କବାଦୀ କାର୍ଯ୍ୟକଳାପରେ ସକ୍ରିୟ ଅଛି । ଏହାସହ ଏକାଧିକ ଦେଶ ବିରୋଧୀ ଷଡ଼ଯନ୍ତ୍ରରେ ସାମିଲ ଅଛି ।