Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଣି ଖନନ ଯୋଜନା ବିରୋଧରେ ବିଜାଲି ଗ୍ରାମରେ ପ୍ରତିବାଦ ସଭା: ୧୦ ଜଣିଆ ତଦାରଖ କମିଟି ଗଠନ

ବାଲିଗୁଡା, ତା, ୨୬/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): ଆମର ଖଣି ଦରକାର ନାହିଁ, ଆମ ପାଇଁ ଜୀବନ ଓ ଜୀବିକା ମୂଲ୍ୟବାନ। ଏଠି ଖଣି ଖନନ ହେଲେ କେବଳ ବିଜାଲି ନୁହେଁ, ସାରା ହାତୀମୁଣ୍ଡା ଗ୍ରାମ ପଞ୍ଚାୟତ ସମେତ ପଡୋଶୀ ତାଜୁଙ୍ଗୀ, ଗଦାପୁର ଓ ବହୁ ଅଞ୍ଚଳର ଲୋକେ ବିସ୍ଥାପିତ ହେବେ । ଆଦିବାସୀ ଲୋକମାନେ ସେମାନଙ୍କ ଭିଟାମାଟି ଓ ଜୀବନ- ଜୀବିକାରୁ ବିସ୍ଥାପିତ ହେଲେ, ଯେତେ କ୍ଷତିପୂରଣ ଦେଲେ ମଧ୍ୟ ସେମାନେ ବଞ୍ଚି ପାରିବେ ନାହିଁ। ତେଣୁ କୈାଣସି ପରିସ୍ଥିତିରେ ଆମେ ଆମ ଗ୍ରାମରେ ଖଣି ଖନନ କରାଇ ଦେବୁନାହିଁ। ଏକଥା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ହାତୀମୁଣ୍ଡା ଗ୍ରାମପଞ୍ଚାୟତର ବିଜାଲି ଗ୍ରାମରେ ଆୟୋଜିତ ପ୍ରତିବାଦ ସଭାରେ ଦୋହରାଇଛନ୍ତି ଗ୍ରାମର ମୁଖିଆ ସନା ମଳିକ, ୱାର୍ଡ ମେମ୍ବର ସସ୍ମିତା ମଳିକ ଏବଂ ଜଙ୍ଗଲ ଅଧିକାର କମିଟିର ସଂପାଦକ ପାତ୍ର ମଳିକ ପ୍ରମୁଖ। ଏ ସମ୍ପର୍କରେ ଅନୁସନ୍ଧାନରୁ ଜଣାପଡିଛି ଯେ ଗତ କିଛିଦିନ ଧରି ହାତୀମୁଣ୍ଡା ଗ୍ରାମ ପଞ୍ଚାୟତର ବିଜାଲି ଗ୍ରାମରେ ବ୍ର‌ହ୍ମପୁର ଜିଓଲଜିକାଲ୍ ସର୍ଭେ କାର୍ଯ୍ୟାଳୟ ପକ୍ଷରୁ ସେ ଅଞ୍ଚଳରେ ଗ୍ରାଫାଇଟ୍ ଥିବାରୁ ସର୍ଭେ କାମ ଚାଲୁ ରହିଛି। କିନ୍ତୁ ସେ ସଂପର୍କରେ ବିଜାଲି ଗ୍ରାମବାସୀ ମାନଙ୍କ ସହ କୌଣସି ପରାମର୍ଶ କରା ଯାଇନଥିବାରୁ ଗ୍ରାମବାସୀ ମାନଙ୍କ ମଧ୍ୟରେ ଖଣି ଖନନ ହେଲେ ବିସ୍ଥାପିତ ହେବାର ଆଶଙ୍କା ସୃଷ୍ଟି ହୋଇଛି, ଯାହା ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। କନ୍ଧମାଳ ଜିଲ୍ଲା ଏକ ଅନୁସୂଚିତ ଅଞ୍ଚଳ ହୋଇ ଥିବାରୁ ଜଙ୍ଗଲ ଅଧିକାର ଆଇନ,-୨୦୦୬ ଓ ପେସା ଆଇନ୍ -୧୯୯୬ ଅନୁଯାୟୀ ସେ ଅଞ୍ଚଳରେ କୈାଣସି ବିକାଶ ମୂଳକ କାର୍ଯ୍ୟ ଏପରିକି ତା’ର ପ୍ରାରମ୍ଭିକ ସର୍ଭେ ହେବା ପୂର୍ବରୁ ଗ୍ରାମସଭାର ଅନୁମୋଦନ ଜରୁରୀ। କିନ୍ତୁ ଏ କ୍ଷେତ୍ରରେ ତାହାର ଚରମ ଉଲ୍ଲଂଘନ କରାଯାଇଛି। ଗ୍ରାମବାସୀଙ୍କୁ ଜିଲ୍ଲା ପ୍ରଶାସନ କିମ୍ବା ବ୍ଲକ ପ୍ରଶାସନ ପକ୍ଷରୁ କୈାଣସି ସୂଚନା ମଧ୍ୟ ଦିଆଯାଇ ନାହିଁ। ଅନ୍ୟପଟରେ ଲୋକଙ୍କ ଅସନ୍ତୋଷ ତଥା ବିରୋଧ ଯୋଗୁଁ ବ୍ରାହ୍ମଣୀଗାଁ ରାଜସ୍ୱ ନିରୀକ୍ଷକ ଓ ଥାନା ଜରିଆରେ ଲୋକଙ୍କ ଉପରେ ଚାପ ସୃଷ୍ଟି କରାଯାଉଛି।। କିନ୍ତୁ କୈାଣସି ପରିସ୍ଥିତି ରେ ଲୋକମାନେ ଡରି ନଯାଇ ସେମାନଙ୍କ ଭିଟାମାଟି, ପ୍ରକୃତି ତଥା ପରିବେଶର ସୁରକ୍ଷା ପାଇଁ ଏକଜୁଟ ହେବାକୁ ଆଜିର ସଭାରେ ଘୋଷଣା କରାଯାଇଛି। ଏହି ସଭାକୁ ଜଙ୍ଗଲ ଅଧିକାର କମିଟିର ସଂପାଦକ ପାତ୍ର ମଳିକ ସଂଯୋଜନା କରିଥିଲା ବେଳେ ବେଳେ ମୁଖ୍ୟବକ୍ତା ଭାବେ ଚାଷୀ ମୂଲିଆ ସୁରକ୍ଷା ସମିତିର ଉପଦେଷ୍ଟା ତଥା ଏନ.ଏ.ପି.ଏମ୍ ର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ତାଜୁଙ୍ଗିଆ ପଞ୍ଚାୟତର ସରପଞ୍ଚ କରୁଣାକର ପ୍ରଧାନ, ଗାହେଜୁ ୱାର୍ଡ ସଭ୍ୟ ସୁଶୀଳ ସୁନାମାଝୀ, ହାତୀମୁଣ୍ଡା ୱାର୍ଡ ସଭ୍ୟ ମିଶ୍ର ମଳିକ, ସିକରମାର ବରିଷ୍ଠ ନାଗରିକ ଯୁଆସା ମଳିକ, ଗାଜରବାଡ଼ି ଜଙ୍ଗଲ ଅଧିକାର କମିଟିର ସଭାପତି ଓ ସଂପାଦକ ବ୍ରଜମୋହନ ମଳିକ ଓ ସୁରେଶ ମଳିକ, ସିକରମା ୱାର୍ଡ ସଭ୍ୟ ବାପୁଜୀ ପ୍ରଧାନ ଓ ରାଜନ ପ୍ରଧାନ, ଡାହୁକ ଜଙ୍ଗଲ ଅଧିକାର କମିଟିର ସଂପାଦକ ଉତ୍ସବ ପ୍ରଧାନ, ଲକ୍ଷ୍ମଣ ମଳିକ ଓ ଦିବାକର ପାଟମାଝୀ ପ୍ରମୁଖ ଜୀବନ ଜୀବିକା ତଥା ପରିବେଶର ସୁରକ୍ଷା ପାଇଁ ଅଞ୍ଚଳବାସୀ ସଂଗଠିତ ହେବାକୁ ଆହ୍ୱାନ ଦେଇଥିଲେ। ଏହାପରେ ଏକ ୧୦ ଜଣିଆ ତଦାରଖ କମିଟି ଗଠନ କରାଯାଇ ହାତୀମୁଣ୍ଡା ଗ୍ରାମ ପଞ୍ଚାୟତ ସମେତ ସମସ୍ତ ପଡୋଶୀ ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କ ମଧ୍ୟରେ ଖଣି ଖନନ ଜନିତ ବିପଦ, ଜୀବନ ଜୀବିକା ସୁରକ୍ଷା ତଥା ଭିଟାମାଟି ଓ ପରିବେଶର ରକ୍ଷା ପାଇଁ ଜନ ଜାଗରଣ ସୃଷ୍ଟି କରିବାକୁ ସ୍ଥିର କରାଯାଇଥିବା ଜଣାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ