୨୪ରୁ ୩୬ ଘଣ୍ଟା ଭିତରେ ଭାରତ କରିବ ଆକ୍ରମଣ: ପାକିସ୍ତାନ


ଓଡ଼ିଶା ଡଟ୍ ନ୍ୟୁଜ୍: ପ୍ରତିଶୋଧର ନିଆଁରେ ଜଳୁଛି ଭାରତ । ଆଉ ଏହି ନିଆଁ ଏଥର ପାକିସ୍ତାନକୁ ଜାଳି ପୋଡ଼ି ପାଉଁଶ କରିଦେବ । ପାକିସ୍ତାନ ଉପରେ ଆକ୍ରମଣ ପାଇଁ ଭାରତ କରି ସାରିଛି ବଡ଼ ଯୋଜନା । ଯାହା ପାକିସ୍ତାନର ନିଦ ହଜାଇ ଦେଇଛି । ସ୍ଥିତି ଏମିତି ପାକିସ୍ତାନୀ ସେନା କି ମନ୍ତ୍ରୀ କେହି ବି ରାତିରେ ଶୋଇ ପାରୁନାହାନ୍ତି । ଆଉ ଆକାଶକୁ ଚାହିଁ ଭାବୁଛନ୍ତି, ଏବେ ଭାରତ କରିଦେବ କି ଏୟାର ଷ୍ଟ୍ରାଇକ୍ ?

ବିଳମ୍ବିତ ରାତିରେ ପାକିସ୍ତାନ ସୂଚନା ମନ୍ତ୍ରୀ କରିଚନ୍ତି ସାମ୍ବାଦିକ ସମ୍ମିଳନୀ । ମନ୍ତ୍ରୀ ଅତାଉଲ୍ଲାହ ତରାର ରାତି ପାଖାପାଖି ସାଢେ ୧ଟା ବେଳେ ସାମ୍ବାଦିକ ସମ୍ମିଳନୀ କରି ଭାରତୀୟ ସେନା ୨୪ରୁ ୩୬ ଘଣ୍ଟା ମଧ୍ୟରେ ଆକ୍ରମଣ କରିପାରେ ବୋଲି କହିଛନ୍ତି । ବିଶ୍ବସନୀୟ ଗୁଇନ୍ଦା ସୂତ୍ରରୁ ତାଙ୍କୁ ଏହି ସୂଚନା ମିଳିଥିବା ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଆତଙ୍କବାଦୀଙ୍କ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ମୋଦୀ ସେନାକୁ ସ୍ବାଧୀନତା ଦେବା ପରେ ପାକିସ୍ତାନରେ ଭୟ ବଢ଼ି ଯାଇଛି ।

ସେପଟେ ପହଲଗାମ ବର୍ବରକାଣ୍ଡ ନେଇ ଆଜି ବସୁଛି ବଡ଼ ବୈଠକ । ଦିନ ୧୧ଟାରେ ସୁରକ୍ଷା ସମ୍ପର୍କିତ କେନ୍ଦ୍ର କ୍ୟାବିନେଟ୍ ବୈଠକ ବସିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସୁଥିବା ବୈଠକରେ କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ । ଏହାସହ ଆଉ ଦୁଇଟି ବଡ଼ ବୈଠକ ହେବ । ସିସିପିଏ ଓ କ୍ୟାବିନେଟ୍ ବୈଠକ ମଧ୍ୟ ଆଜି ହେବ । ଏହା ପୂର୍ବରୁ ଗତକାଲି ମୋଦୀଙ୍କ ବାସଭବନରେ ବସିଥିବା ବୈଠକରେ ସେନାକୁ ପୂର୍ଣ୍ଣ ସ୍ବାଧୀନତା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆକ୍ରମଣ ପାଇଁ ସମୟ, ଟାର୍ଗେଟ, ଶୈଳୀ ସ୍ଥିର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ, ଏନ୍‌ଏସ୍‌ଏ, ସିଡିଏସ୍‌ ଓ ତିନି ସେନାମୁଖ୍ୟଙ୍କ ସହ ମୋଦୀ ଓ ଶାହାଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।