Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସ୍ତରୀୟ କବି ଶ୍ରୀ ଜୟଦେବ ଜୟନ୍ତୀ ସମାରୋହ :ଜୟଦେବଙ୍କ ‘ଗୀତଗୋବିନ୍ଦ’ ଭାରତୀୟ କାବ୍ୟ ପରମ୍ପରାର ଏକ ବିରାଟ ବିସ୍ମୟ

ଜିଲ୍ଲା ସ୍ତରୀୟ କବି ଶ୍ରୀ ଜୟଦେବ ଜୟନ୍ତୀ ସମାରୋହ ଜୟଦେବଙ୍କ ‘ଗୀତଗୋବିନ୍ଦ’ ଭାରତୀୟ କାବ୍ୟ ପରମ୍ପରାର ଏକ ବିରାଟ ବିସ୍ମୟ
ସମ୍ବଲପୁର, ତା. ୩୦. ୦୪:ପ୍ରାଚୀନ କାଳରେ ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ସ୍ଥାପତ୍ୟ ଆଦି କ୍ଷେତ୍ରରେ ଯେଉଁ ଉତ୍କର୍ଷ ସାଧିତ ହୋଇଥିଲା, ତା’ର ମୂଳରେ ଥିଲା ସଂସ୍କୃତ ସାହିତ୍ୟ। ସେହି ସଂସ୍କୃତ ସାହିତ୍ୟକୁ ସଂସ୍କୃତ କବିର ସର୍ବଶ୍ରେଷ୍ଠ ଅବଦାନ ହେଉଛି ଦ୍ୱାଦଶ ଶତାବ୍ଦୀର କବି ଶ୍ରୀଜୟଦେବଙ୍କ ‘ଗୀତଗୋବିନ୍ଦ। ଜୟଦେବଙ୍କ ‘ଗୀତଗୋବିନ୍ଦ’ ଭାରତୀୟ କାବ୍ୟ ପରମ୍ପରାର ଏକ ବିରାଟ ବିସ୍ମୟ। ଗୀତ, ନାଟ୍ୟ, ଭକ୍ତି, ପ୍ରେମ ଓ ଶୃଙ୍ଗାରର ଏକ ଅପୂର୍ବ ସମନ୍ବୟ। ବୈଷ୍ଣବୀୟ ଭାବ ସମ୍ବଳିତ ଏହି ଗୀତିକାବ୍ୟ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପ୍ରତି କବି ଜୟଦେବଙ୍କ ଭକ୍ତିପୂତ ପୁଷ୍ପାଞ୍ଜଳି। ରାଧାକୃଷ୍ଣଙ୍କ ଅପ୍ରାକୃତ ପ୍ରେମଲୀଳା ଭାବରେ ପର୍ଯ୍ୟବସିତ ଏହି କାବ୍ୟର କଳେବର ଅତ୍ୟନ୍ତ କ୍ଷୀଣ ହେଲେ ବି ଏହା ସଂସ୍କୃତ ସାହିତ୍ୟର ସର୍ବଶ୍ରେଷ୍ଠ ଗୀତିକାବ୍ୟ ରୂପେ ଗୃହୀତ, ପରିଚିତ ଓ ପ୍ରତିଷ୍ଠିତ। ଓଡ଼ିଶାର ସାହିତ୍ୟ, ସଂସ୍କୃତି, କଳା, ସ୍ଥାପତ୍ୟ, ବୟନଶିଳ୍ପ ଓ ନୃତ୍ୟ ଆଦିକୁ ଗୀତଗୋବିନ୍ଦ ଏତେ ପ୍ରଭାବିତ କରିଛି ଯେ ତାହା ପାଲଟି ଯାଇଛି ଆମ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନର ଏକ ଅବିଚ୍ଛିନ୍ନ ଅଙ୍ଗ ବୋଲି ଜିଲ୍ଲା ସ୍ତରୀୟ କବି ଶ୍ରୀ ଜୟଦେବ ଜୟନ୍ତୀ ସମାରୋହରେ ଅତିଥି ଓ ବକ୍ତା ମାନେ କହିଛନ୍ତି।
ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଆଜି ସଂସ୍କୃତି ପରିଷଦର ସଭାକକ୍ଷ ରେ ଏହା ଆୟୋଜିତ ହୋଇଥିଲା। ସମାରୋହରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ, ମୁଖ୍ୟବକ୍ତା ଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ସଂସ୍କୃତ ଶିକ୍ଷକ ହରି ନାରାୟଣ ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରବୀନ୍ଦ୍ର କୁମାର ଦଳେଇ ଯୋଗ ଦେଇ କବି ଜୟଦେବ ଙ୍କ ଉପରେ ସରଗର୍ଭକ ଆଲୋଚନା ରଖିଥିଲେ। ପ୍ରାରମ୍ଭରେ କବି ଜୟଦେବ ଓ ମା ସମଲେଶ୍ୱରୀ ଙ୍କ ଠାରେ ପୁଷ୍ପ ଓ ଦୀପ ପ୍ରଜ୍ବଳନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।କବି କମଳ ଲୋଚନ ପଣ୍ଡା ଜୟଦେବଙ୍କ କବିତା ଓ ଭଜନ ଆବୃତ୍ତି କରିଥିଲେ।ଡାକ୍ତର ରାଜାରାମ ଷଡ଼ଙ୍ଗୀଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ଜିଲ୍ଲା ସଂସ୍କୃତି ଅଧିକାରୀ ମାମୁନି ଆଚାର୍ଯ୍ୟ ସ୍ୱାଗତ ଭାଷଣ ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ