ସମ୍ବଲପୁରର ଐତିହ୍ୟ କବାଡି ଖେଳ ର ସୁରକ୍ଷା ପାଇଁ ନାହିଁ ଭିତ୍ତିଭୂମି
ସମ୍ବଲପୁର:ପଶ୍ଚିମ ଓଡିଶା ର ପ୍ରାଣକେନ୍ଦ୍ର ସମ୍ବଲପୁର ସହରରେ କବାଡି ଖେଳର ଏକ ବିଶେଷ ପ୍ରସିଦ୍ଧି ଥିଲା l ଏଇ ମାଟିରୁ ଜନ୍ମ ହୋଇ ରାଜ୍ୟ ସ୍ତରରେ ନାଆଁ କରିବା ସହ ରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଖେଳିବାର ସୁଯୋଗ ପାଇଛନ୍ତି ଅନେକ କବାଡି ଖେଳାଳି l ହେଲେ କବାଡି ଖେଳ ତଥା ଖେଳାଳି ଙ୍କର ପାଇଁ ଆଜିଯାଏ ବିଶେଷ ସୁବିଧା ଯୋଗାଇ ପାରିନାହିଁ ସରକାର l
କେନ୍ଦ୍ର ସରକାର “ଖେଲୋ ଇଣ୍ଡିଆ” ମାଧ୍ୟମରେ କ୍ରୀଡା ର ବିକାଶ ପାଇଁ କାର୍ଯ୍ୟ କରୁଥିବା ବେଳେ ଆଜିଯାଏ ସମ୍ବଲପୁର ର ଐତିହ୍ୟ କବାଡି ଖେଳ ର ବିକାଶ ପାଇଁ ଭିତ୍ତିଭୂମି ସୃଷ୍ଟି ହୋଇପାରିନଥିବା ଦୁର୍ଭାଗ୍ୟ ର ବିଷୟ ବୋଲି କ୍ରୀଡା ସଂଗଠକ ସୂର୍ଯ୍ୟ ପାଣିଗ୍ରାହୀ ଏକ ପ୍ରେସ ବିବୃତି ରେ ପ୍ରକାଶ କରିଛନ୍ତି l
ସୂଚନାଯୋଗ୍ୟ ଯେ, ଏହି ସମ୍ବଲପୁର ମାଟି କବାଡି ଖେଳ ପାଇଁ ଅନେକ ସୁନାମ ଆଣିଛି l ହେଲେ ଆଜିଯାଏ ସମ୍ବଲପୁର ସହରରେ କବାଡି ଖେଳ ପାଇଁ ବିଶେଷ ସୁବିଧା ହୋଇପାରିନାହିଁ l
କବାଡି ଖେଳରେ ସମ୍ବଲପୁର ସହରରେ ଦ୍ରୋଣାଚାର୍ଯ୍ୟ କୁହାଯାଉଥିବା ସୁରେଶ ସେଠ ଙ୍କର ବିୟୋଗ ପରେ ଆୟୋଜିତ ଶୋକସଭାରେ ପ୍ରସ୍ତାବ କ୍ରମେ ଭି.ଏସ.ଏସ. ଷ୍ଟାଡିୟମରେ ଓ ମନ୍ଦାଳିଆ ପଡିଆ ରେ ଦୁଇଟି କବାଡି ପଡିଆ ନିର୍ମାଣ ପାଇଁ ତତ୍କାଳୀନ ଜିଲ୍ଲାପାଳ ବଳୱନ୍ତ ସିଂ ଙ୍କର ପ୍ରୟାସ କ୍ରମେ କିଛିଟା ଅଗ୍ରଗତି ହୋଇଥିଲା l ଭି.ଏସ.ଏସ. ଷ୍ଟାଡିୟମ ରେ ନଗେନ୍ଦ୍ର ପ୍ରଧାନ ଙ୍କର ସାଂସଦ ପାଣ୍ଠି ରୁ ୯,୮୭,୦୦୦/- ( ନଅ ଲକ୍ଷ ସତାଅଶୀ ହଜାର ଟଙ୍କା) ବ୍ୟୟ ଅଟକଳରେ ଏକ କବାଡି ନିର୍ମିତ ହୋଇଥିଲା l ହେଲେ ଏତେ ଅର୍ଥ ବ୍ୟୟରେ ନିର୍ମିତ ପଡ଼ିଆଟି ଏବେ ଅଳିଆଗଦା ରେ ପରିଣତ ହୋଇଯାଇଛି l
ସେହି ଦୃଷ୍ଟିରୁ କବାଡି ଖେଳ ଓ ଖେଳାଳି ଙ୍କୁ ପ୍ରତ୍ସାହନ ଦେବା ପାଇଁ ସମ୍ବଲପୁରରେ ଏକ କବାଡି ଇଣ୍ଡୋର ହଲ ର ଅବଶ୍ୟକତା ରହିଛି ବୋଲି ଶ୍ରୀ ପାଣିଗ୍ରାହୀ ଦାବି ଜଣାଇଛନ୍ତି l
ଧୀରେ ଧୀରେ କବାଡି ଖେଳରେ ଯେମିତି ଉନ୍ନତି ଆସିଲାଣି, ବିନା ଟର୍ଫ ଆଉ ବିନା ଜୋତା ରେ କବାଡି ହେଉନାହିଁ l ସେହି ଖେଳର ଆବଶ୍ୟକତା କୁ ଦୃଷ୍ଟିରେ ରଖି କବାଡି ପାଇଁ ସମ୍ବଲପୁର ସହରରେ ଏକ ଇଣ୍ଡୋର ହଲ / ଷ୍ଟାଡିୟମ ର ଆବଶ୍ୟକତା ରହିଛି l ଏହି ବ୍ୟବସ୍ଥା ହେଲେ, ସମ୍ବଲପୁର ରେ କବାଡି ପ୍ରତିଭାବାନ ଖେଳାଳି ସୃଷ୍ଟି ହେବା ସହ କବାଡି ଖେଳରେ ସମ୍ବଲପୁର ର ପୂର୍ବ ଗୌରବ ଫେରି ଆସିବ ବୋଲି ଶ୍ରୀ ପାଣିଗ୍ରାହୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।