ଓଡ଼ିଶା ଡଟ୍ ନ୍ୟୁଜ୍: ପହଲଗାମ ନରସଂହାରକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ଆତଙ୍କବାଦୀ ଆକ୍ରମଣକୁ ନେଇ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ମାମଲାରେ ଏକ ବିଚାରପତି ଆୟୋଗ ଗଠନ କରିବା ସହ କାଶ୍ମୀରରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଏବଂ ଜମ୍ମୁ ଓ କାଶ୍ମୀର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି ।
ଆତଙ୍କବାଦୀ ଆକ୍ରମଣ ପରେ ସୀମା ପାର ଆତଙ୍କବାଦକୁ ସମର୍ଥନ କରୁଥିବା ପାକିସ୍ତାନ ବିରୋଧରେ ଭାରତ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଛି । ସୀମାବର୍ତ୍ତୀ ବାଣିଜ୍ୟ ଓ ଯାତାୟାତକୁ ପ୍ରଭାବିତ କରିବା ପାଇଁ ଅଟାରୀ ଚେକ୍ ପୋଷ୍ଟ ବନ୍ଦ କରାଯାଇଛି । ପାକିସ୍ତାନର ହାଇ କମିଶନର କର୍ମଚାରୀ ସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେବା ପାଇଁ ଭାରତୀୟ ସଶସ୍ତ୍ର ବାହିନୀକୁ ସମ୍ପୂର୍ଣ୍ଣ ଅପରେସନାଲ ସ୍ୱାଧୀନତା ଦିଆଯାଇଛି।
ପହଲଗାମର ବୈସରଣ ଉପତ୍ୟକାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୮ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଥିଲେ । ଏହି ଜନସ୍ୱାର୍ଥ ମାମଲାର ଶୁଣାଣି କାଶ୍ମୀରରେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ଆତଙ୍କବାଦ ବିରୋଧୀ ନୀତିଗୁଡ଼ିକୁ ଆହୁରି ଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ ।