କିଟ୍ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ, ଶବ ଉଦ୍ଧାରକୁ ନେଇ ବଢ଼ିଲା ସନ୍ଦେହ


ଓଡ଼ିଶା ଡଟ୍ ନ୍ୟୁଜ୍: କିଟରେ ଜଣେ ନେପାଳୀ ଛାତ୍ରୀଙ୍କୁ ମୃତ୍ୟୁକୁ ନେଇ ବିବାଦୀୟ ସ୍ଥିତିରେ ସୁଧାର ଆସି ନଥିବା ବେଳେ ଆଉ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରୀଙ୍କ ମୃତଦେହ । ହେଲେ ମୃତଦେହ ଉଦ୍ଧାରକୁ ନେଇ ଉଠିଛି ପ୍ରଶ୍ନ । କାଲି ହଷ୍ଟେଲ ଭିତରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କଲା କିଏ ? ପୋଲିସ ନା କିଟ୍ କର୍ମଚାରୀ ? କାରଣ ଇନଫୋସିଟି ଥାନାର କନଷ୍ଟେବଳ ନିରାକାର ଖଟୁଆଙ୍କ କହିବା କଥା, ପୋଲିସ କିମ୍ସ ମେଡିକାଲ ଏମରଜେନ୍ସିରୁ ମୃତଦେହକୁ ଧରି ଭୁବନେଶ୍ୱର ଏମ୍ସସକୁ ବ୍ୟବଚ୍ଛେଦ ପାଇଁ ଆଣିଥିଲେ ।

ହଷ୍ଟେଲ ଭିତରୁ ସମ୍ପୃକ୍ତ ଛାତ୍ରୀଙ୍କ ମୃତଦେହ ପୋଲିସ ନୁହେଁ ବରଂ କିଟ୍ କର୍ମଚାରୀ ଉଦ୍ଧାର କରିଥିଲେ କି ? ତେବେ କେଉଁ ଆଧାରରେ ପୋଲିସ ବଦଳରେ ଝୁଲନ୍ତା ଅବସ୍ଥାରେ ଥିବାବେଳେ ଛାତ୍ରୀଙ୍କୁ ଉଦ୍ଧାର କଲେ କିଟ୍ କର୍ମଚାରୀ ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ସେହିପରି ଏହା ହତ୍ୟା ନା ଆତ୍ମହତ୍ୟା ଏ ଯାଏଁ ସ୍ପଷ୍ଟ ହୋଇନାହିଁ ।

ଅନ୍ୟପଟେ ଏହି ଛାତ୍ରୀ ମୃତ୍ୟୁକୁ ନେଇ ପୋଲିସ କମିଶନର ଏସ୍‌ ଦେବଦତ୍ତ କହିଛନ୍ତି, ଛାତ୍ରୀ ରୁମରେ ଏକା ଥିଲେ ଓ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲେ । ରୁମରେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି । ହଷ୍ଟେଲର ଅନ୍ୟ ଝିଅମାନଙ୍କୁ ପଚରାଉଚରା କରାଯାଉଛି । ମୃତ ଛାତ୍ରୀ ନେପାଳ ବୀରଗଞ୍ଜର ପ୍ରୀସା ଶାହା । କିଟ୍ ବିଶ୍ୱବିଦ୍ୟାଳୟରେ ବିଟେକ୍ ପ୍ରଥମ ବର୍ଷର ଛାତ୍ରୀ ଥିଲେ । ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ହଷ୍ଟେଲ ରୁମରୁ ମୃତଦେହ ଉଦ୍ଧାର ହୋଇଥିଲା । ଘଟଣାକୁ ନେଇ କିଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଆଜି ମୃତ ଛାତ୍ରୀ ପ୍ରୀସାଙ୍କ ପରିବାର ଲୋକ ଭୁବନେଶ୍ୱରରେ ପହଞ୍ଚିବା ପରେ ଏମ୍ସରେ ମୃତଦେହର ବ୍ୟବଚ୍ଛେଦ ହେବ । ପ୍ରାୟ ଅଢ଼େଇ ମାସ ତଳେ କିଟ୍ କ୍ୟାମ୍ପସରେ ହୋଇଥିଲା ଛାତ୍ରୀ ମୃତ୍ୟୁ । ଫେବ୍ରୁଆରୀ ୧୬ରେ ଆତ୍ମହତ୍ୟା କରିଥିଲେ ନେପାଳୀ ଛାତ୍ରୀ ‘ପ୍ରକୃତି’ । ପ୍ରାୟ ଅଢ଼େଇ ମାସ ପରେ ଏବେ ପୁଣି ଜଣେ ଛାତ୍ରୀ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି ।