ଆତଙ୍କୀସ୍ଥାନକୁ ଝଟକା ପରେ ଝଟକା, ପାକିସ୍ତାନ ଏୟାରସ୍ପେସ୍ ବ୍ୟବହାର ନକରିବାକୁ ପାଶ୍ଚାତ ଦେଶଙ୍କ ନିଷ୍ପତ୍ତି


ଓଡ଼ିଶା ଡଟ୍ ନ୍ୟୁଜ୍: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ନେଉ କି ନନେଉ, ପାକିସ୍ତାନ ବରବାଦ ହେବା ନିଶ୍ଚିତ । ଭାରତ ଗୋଟିଏ ପରେ ଆର୍ଥିକ ଝଟକା ଦେଇ ଚାଲିଥିବା ବେଳେ ଏବେ ଏଥିରେ ସାମିଲ ହୋଇଛନ୍ତି ପ୍ରାଶ୍ଚାତ ଦେଶ । ପାକିସ୍ତାନ ଆକାଶର ବ୍ୟବହାର ନକରିବାକୁ ବିଶ୍ୱର ପ୍ରମୁଖ ବିମାନଚଳାଚଳ ସଂସ୍ଥା ନେଇଛନ୍ତି ନିଷ୍ପତ୍ତି । ପାଶ୍ଚାତ୍ୟ ଦେଶମାନେ ସ୍ୱତଃ ପ୍ରବୃତ ଭାବେ ପାକିସ୍ତାନ ଏୟାରସ୍ପେସ ବ୍ୟବହାର ନକରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହାଦ୍ୱାରା ପାକିସ୍ତାନକୁ ବହୁତ କ୍ଷତି ସହିବାକୁ ପଡିବ । ଇଟାଲିର ଆଇଟିଏ, ସୁଇସ୍, ଏୟାରଫ୍ରାନ୍ସ, ବ୍ରିଟିସ୍ ଏୟାରୱେ, ଲୁଫସ୍ଥାନସା, ପୋଲାଣ୍ଡର ଏଲଓଟି ସହ ଅନ୍ୟ ୟୁରୋପିଓ ଦେଶ ପାକିସ୍ତାନ ଆକାଶ ବ୍ୟବହାର ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଭାରତ-ପାକିସ୍ତାନ ଟେନସନ ଯୋଗୁଁ କୌଣସି ମୁହୂର୍ତରେ ଭାରତ ଆକ୍ରମଣ କରିବାର ଆଶଙ୍କା କରି ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ଭାରତ ଆସୁଥିବା ପାଶ୍ଚାତ୍ୟ ଦେଶର ବିମାନ ଗୁଡିକ ତୁର୍କୀ, ସିରିଆ, ଇରାକ, ସାଉଦି ଆରବ, ଓମାନ ଦେଇ ଭାରତ ଆସିବ । ପାକିସ୍ତାନ ଆକାଶ ଉପରେ ଚଳାଚଳ କରୁଥିବା ବିମାନଗୁଡିକରୁ ଲକ୍ଷ ଲକ୍ଷ ଟଙ୍କା ନେଇଥାଏ । ଏବେ ସେମାନେ ପାକିସ୍ତାନର ଏୟାରସ୍ପେସ ବ୍ୟବହାର ନ କରିବା ନିଷ୍ପତ୍ତି ଦ୍ୱାରା ପାକିସ୍ତାନକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡିବ ।