ଓଡ଼ିଶା ଡଟ୍ ନ୍ୟୁଜ୍: ଶସ୍ତ୍ର ପରେ ଏବେ ଅସ୍ତ୍ରରେ ଆରମ୍ଭ ହୋଇଯାଇଛି ପହଲଗାମ ନରସିଂହାରର ପ୍ରତିଶୋଧ । ଆତଙ୍କୀସ୍ତାନ ପାକିସ୍ତାନ ଉପରେ ଭାରତ କରିଛି ଏୟାରଷ୍ଟ୍ରାଇକ୍ । ଧ୍ବଂସ ହୋଇଯାଇଛି ଆତଙ୍କବାଦୀଙ୍କ ୯ଟି ଠିକାଣା । ମରିଛନ୍ତି ୫୦ରୁ ଅଧିକ ଆତଙ୍କବାଦୀ । ଗତକାଲି ବିଳମ୍ବିତ ରାତିରେ ଭାରତ ପାକିସ୍ତାନ ବିରୋଧରେ ଆରମ୍ଭ କରି ଦେଇଛି ‘ଅପରେସନ ସିନ୍ଦୂର’ । ଆଉ ଏହାକୁ ନେଇ ବିଶ୍ବର ନେତାମାନେ ପ୍ରତିକ୍ରିୟା ଦେବାକୁ ଲାଗିଛନ୍ତି । ଆମେରିକା ମଧ୍ୟ ପ୍ରତିକ୍ରିୟା ଦେଇଛି । ଆଉ କହିଛି, ଭାରତର ଅପରେସନ ସିନ୍ଦୂର ଉପରେ ଆମେ ନଜର ରଖିଛୁ ।
ଭାରତର ଏୟାର ଷ୍ଟ୍ରାଇକ ପରେ ଭାରତୀୟ ଜାତୀୟ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଅଜିତ୍ ଡୋଭାଲ ଆମେରିକା ଜାତୀୟ ସୁରକ୍ଷା ପରିଷଦର ଅଧ୍ୟକ୍ଷ ମାର୍କୋ ରୁବିୟୋ ସହ କଥା ହୋଇଛନ୍ତି । ଡୋଭାଲ ରୁବିୟୋଙ୍କୁ ଭାରତ ତରଫରୁ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ନେଇ ସମସ୍ତ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଏପ୍ରିଲ ୩୦ ତାରିଖରେ ମାର୍କୋ ରୁବିୟୋ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ପାକିସ୍ତାନ ସହ ବିବାଦ କମ କରିବାକୁ ପରାମର୍ଶ ଦେଇଥିଲେ ।
ଅପରେସନକୁ ନେଇ ଆମେରିକା ଜାତୀୟ ସୁରକ୍ଷା ପରିଷଦ ଅଧ୍ୟକ୍ଷ ରୁବିୟୋ କହିଛନ୍ତି, ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଉପରେ ଆମେରିକା ତୀକ୍ଷ୍ଣ ନଜର ରଖିଛି । ଆଶା କରାଯାଉଛି ଏହି ବିବାଦ ଖୁବଶୀଘ୍ର ସମାପ୍ତ ହୋଇଯିବ । ଅନ୍ୟପକ୍ଷେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କୁ ପହଲଗାମ ଆକ୍ରମଣକୁ ନିନ୍ଦା କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ ।