ଲାହୋରରେ ୩ଟି ବଡ଼ ବିସ୍ଫୋରଣ, ପାକିସ୍ତାନରେ ହାହାକାର


ଓଡ଼ିଶା ଡଟ୍ ନ୍ୟୁଜ୍: କେତେବେଳେ ଭାରତର ମିଜାଇଲ ମାଡ଼ ତ ଆଉ କେତେ ବେଳେ ନିଜ ଦେଶ ଭିତରେ ବୋମା ବିସ୍ଫୋରଣ, ଥରୁ ପାକିସ୍ତାନ । ଚାରିଆଡେ ହାହାକାର ସ୍ଥିତି । ଗୋଟିଏ ପରେ ଗୋଟିଏ ବଡ ଆଟାକ୍ ହେବାରେ ଲାଗିଛି । ଭାରତର ଆକ୍ରମଣ ପରେ ଆଜି ସକାଳୁ ପାକିସ୍ତାନ ସେନା ଗାଡି ଉପରେ ବଡ ଆଇଇଡି ଆକ୍ରମଣ କରିଛନ୍ତି ବଲୁଚିସ୍ତାନ ସ୍ବାଧୀନତା ସଂଗ୍ରାମୀ । ଏହି ଘଟଣାକୁ କେଇ ଘଣ୍ଟା ବିତି ନଥିବା ବେଳେ ଲାହୋରରେ ୩ଟି ବଡ ବିସ୍ଫୋରଣ ଘଟିଛି ।

ଲାହୋରର ବ୍ଲାଟନ ରୋଡ୍‌ରେ ଜୋରଦାର ବିସ୍ଫୋରଣ ହୋଇଛି । ଏହି ୩ଟି ବଡ ବିସ୍ଫୋରଣ ପରେ ଲାହୋରରେ ଏୟାରପୋର୍ଟକୁ ବନ୍ଦ କରାଯାଇଛି । ଇସଲାମାବାଦ ଏୟାରପୋର୍ଟ ମଧ୍ୟ ବନ୍ଦ କରିଦିଆଯାଇଛି । ତେବେ ୩ଟି ସ୍ଥାନରେ ମିସାଇଲ୍ ମାଡ ହୋଇଥିବା ପ୍ରତ୍ୟେକ୍ଷଦର୍ଶୀ ସୂଚନା ଦେଇଛନ୍ତି । କିନ୍ତୁ ଏହି ଆକ୍ରମଣ କିଏ କରିଛି ତା’ର କୌଣସି ସ୍ପଷ୍ଟ ସୂଚନା ମିଳିପାରିନି ।  ସେପଟେ, ପାକିସ୍ତାନ ସେନା ଗାଡି ଉପରେ ଆଇଇଡି ବିସ୍ଫୋରଣ ହୋଇଛି । ୧୨ରୁ ଅଧିକ ପାକ୍ ଯବାନଙ୍କ ମୃତ୍ୟୁ ଘଟିଛି ।

ଆକ୍ରମଣ ପଛରେ ଭାରତର ହାତ ଥିବା କହିଛି ପାକିସ୍ତାନ । ତେବେ ବିଏଲଏ ଏହି ଆକ୍ରମଣ କରିଥିବା ଜଣାପଡିଛି । ଆକ୍ରମଣରେ କିଛି ସ୍ପେଶାଲ ଅପରେସନ କମାଣ୍ଡର ସହ ସୈନିକଙ୍କ ମୃତ୍ୟୁ ଘଟିଛି । ରିମୋଟ କଂଣ୍ଟ୍ରୋଲ ଅସ୍ତ୍ରଶସ୍ତ୍ର ଜରିଆରେ ବଲୁଚିସ୍ତାନର ସ୍ବାଧୀନତା ସଂଗ୍ରାମୀମାନେ ଆକ୍ରମଣ କରିଥିବା କହିଛି ବିଏଲଏ ।

ପାକିସ୍ତାନ ସେନାର ମିଡିଆ ଓ ପିଆର ଟିମ୍, ଆଇଏସପିଆର ଆକ୍ରମଣରେ ଭାରତର ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛି । ଭାରତର ପ୍ରୋକ୍ସି ସଙ୍ଗଠନଗୁଡିକ ବଲୁଚିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇବା ସହ ସୁରକ୍ଷାକର୍ମଙ୍କୁ ଆକ୍ରମଣ କରୁଛନ୍ତି । ବଲୋଚ ଲିବେରେସନ ଆର୍ମିକୁ ଭାରତର ପ୍ରୋକ୍ସି ସଙ୍ଗଠନ ବୋଲି କହଛି ପାକ ସେନା । ପାକିସ୍ତାନର ଅମୀର ପୋଷ୍ଟ ଓ ଅଲ୍ଲୀ ଖାନ ବେସ୍ ମଧ୍ୟରେ ଆର୍ମି ଗାଡି ଉପରେ ଆକ୍ରମଣ କରାଯାଇଛି ।