ଭାରତର ବିରୋଧ ସତ୍ତ୍ବେ ପାକିସ୍ତାନକୁ IMFର ୧.୩ ବିଲିୟନ ସହାୟତା


ଓଡ଼ିଶା ଡଟ୍ ନ୍ୟୁଜ୍: ଆତଙ୍କୀସ୍ତାନ ପାକିସ୍ତାନ ପ୍ରେମରେ ଉବୁଟୁବୁ IMF । ପୁଣି IMFରୁ ପାକିସ୍ତାନକୁ ବିଳିଲା ସହାୟତା । ଭାରତର ବିରୋଧ ସତ୍ତ୍ବେ ପାକିସ୍ତାନକୁ IMF ୧.୩ ବିଲିୟନ ଡଲାର ବା ୮ ହଜାର ୫ ଶହ କୋଟି ଟଙ୍କାର ଅନୁମୋଦନ ପ୍ରଦାନ କରିଛି । ଏପରିକି ଏହାକୁ ନେଇ ହୋଇଥିବା ଭୋଟିଂରୁ ଦୂରେଇ ରହିଥିଲା ଭାରତ । ହେଲେ କାଙ୍ଗାଳ ଅବସ୍ଥାରେ ଥିବା ପାକିସ୍ତାନକୁ ଆର୍ଥିକ ସହାୟତା ଦେଇ ବଡ଼ ଆଶ୍ବସ୍ତି ଦେଇଛି IMF । ପାକିସ୍ତାନକୁ ଋଣ ଦେବା ଏକ ବିପଦପୂର୍ଣ୍ଣ ଉଦ୍ୟମ ବୋଲି ଭାରତ ବାରମ୍ବାର କହି ଆସୁଛି । 

ସେହିପରି IMF ନିକଟରେ ପାକିସ୍ତାନର ଖରାପ ରେକର୍ଡକୁ ନେଇ ଭାରତ ଚିନ୍ତା ପ୍ରକଟ କରି କହିଛି ଯେ, ଯଦି ଏହାକୁ ପାଣ୍ଠି ଯୋଗାଇ ଦିଆଯାଏ, ତେବେ ଏହାର ଅପବ୍ୟବହାର ହେବ । ୧୯୮୯ ମସିହାରୁ ଅର୍ଥାତ ଗତ ୩୬ ବର୍ଷ ମଧ୍ୟରେ ପାକିସ୍ତାନକୁ ୨୮ ବର୍ଷ ଧରି ଲଗାତାର IMF ଋଣ ପ୍ରଦାନ କରିଆସୁଛି । ୨୦୧୯ ପରଠାରୁ ଗତ ୫ ବର୍ଷରେ IMF ୪ ଥର ପାକିସ୍ତାନକୁ ଋଣ ଦେଇଛି । ଯଦି ପୂର୍ବ ଋଣଗୁଡ଼ିକର ସଠିକ୍ ବିନିଯୋଗ ହୋଇଥାନ୍ତା, ତେବେ ପାକିସ୍ତାନକୁ ଆଉ ଏକ ବେଲଆଉଟ୍ ପ୍ୟାକେଜ୍ ପାଇଁ IMF ନିକଟକୁ ଆସିବାକୁ ପଡ଼ିନଥାନ୍ତା । ହେଲେ ଏବେ ପୁଣିଥରେ IMF ପାକିସ୍ତାନକୁ ଋଣ ଦେଇଛି ।

ବୈଠକରେ ଭାରତ କହିଛି, ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ କରୁଛି । ଏପରିକି ଆତଙ୍କବାଦକୁ ପ୍ରୋତ୍ସାହନ ମଧ୍ୟ ଦେଇ ଆସୁଛି । ଏଭଳି ଦେଶକୁ ଋଣ ଦେବା ଏକ ବିପଜ୍ଜନକ ବାର୍ତ୍ତା ଯାଉଛି । ଯାହା ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକର ବିଶ୍ୱସନୀୟତାକୁ କ୍ଷୁର୍ଣ୍ଣ କରିବା ସହ ବିଶ୍ୱ ମୂଲ୍ୟବୋଧକୁ ଉପହାସ କରୁଛି । ପାକିସ୍ତାନକୁ ବେଲ୍ ଆଉଟ୍ ପ୍ୟାକେଜ୍ ଦେବାକୁ ଭାରତ ଭୋଟ୍ ଦେବାରୁ ବିରତ ରହିଥିଲା ।