Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୌଳିକ ସୁବିଧରୁ ବଞ୍ଚିତ ଗଦାପୁର ପଞ୍ଚାୟତ: ବୃଦ୍ଧାଙ୍କ ମୃତ୍ୟୁରୁ ଉତ୍ତେଜନା, ରାସ୍ତା ଅବରୋଧ

ବାଲିଗୁଡା, ତା, ୧୮/୦୬:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତରେ ମଙ୍ଗଳବାର ଜଣେ ବୃଦ୍ଧା ନାଳରେ ପଡ଼ି ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ ଉକ୍ତ ଅଞ୍ଚଳର ଶାନ୍ତି ବଳିୟାର ସିଂ। ସ୍ଥାନୀୟ ଲୋକେ ତାଙ୍କୁ ନାଳରୁ ଉଦ୍ଧାର କରି ଗଦାପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ତେବେ ସେଠାରେ ଫର୍ମାସିଷ୍ଟ କିମ୍ବା ଡାକ୍ତର କେହି ନଥିଲେ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ତାଲା ଝୁଲୁଥିଲା। ଫଳରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସେଠାରେ ବୃଦ୍ଧାଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇପାରି ନ ଥିଲା। ଫଳରେ ମୃତଦେହ ଗଦାପୁରରୁ ବ୍ରାହ୍ମଣୀଗାଁ ଓ ସେଠାରୁ ପୁଣି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ମଧ୍ୟାହ୍ନରେ ଅଣାଯାଇଛି। ଏହାକୁ ନେଇ ଗଦାପୁର ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ସହ ଡାକ୍ତର ନିୟମିତ ଡ୍ୟୁଟି କରୁ ନ ଥିବା ଅଭିଯୋଗ ହେବା ସହ ଗଦାପୁର ଅଞ୍ଚଳରେ ପାଣି ସମସ୍ୟା ମଧ୍ୟ ଲାଗିରହିଛି। ଯଦି ପାଣି ଥାଆନ୍ତା ତେବେ ବୃଦ୍ଧା ଜଣକ କାହିଁକି ନାଳକୁ ଗାଧୋଇବାକୁ ଯାଇ ମୃତ୍ୟୁବରଣ କରିଥାନ୍ତେ ବୋଲି ଅଭିଯୋଗ ହୋଇଛି। ସେହିପରି ଅଞ୍ଚଳରେ ମୋବାଇଲ ନେଟ୍‌ଓ୍ବର୍କ ସେବା ବାରମ୍ବାର ଅଚଳ ଏବଂ ଦୀର୍ଘଦିନ ହେଲା ଡାକ୍ତର ପଦବୀ ଖାଲି ଯୋଗୁ ବୁଧବାର ଶହ ଶହ ଲୋକ ଗଦାପୁର ବଜାର ଛକରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସମସ୍ତ ଚଳାଚଳ କରୁଥିବା ଗାଡ଼ିମୋଟରକୁ ଅଟକ ରଖିଛନ୍ତି। ବିଭିନ୍ନ ଛକରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏମିତିକି ଗଦାପୁରଠାରୁ ଯାଉଥିବା ସମସ୍ତ ପ୍ରକାର ସରକାରୀ ଏବଂ ବେସରକାରୀ ବସ୍‌କୁ ଯିବାକୁ ଦେଉନାହାନ୍ତି। ସେମାନଙ୍କ ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଜାରି ରହିବ ବୋଲି ଉତ୍ତ୍ୟକ୍ତ ଲୋକେ ଦାବି କରିଛନ୍ତି। ପ୍ରକାଶ ଯେ, ଦାରିଙ୍ଗବାଡ଼ି ବ୍ଲକ ହେଡ୍‌କ୍ୱାର୍ଟରଠାରୁ ଗଦାପୁରର ଦୂରତା ପ୍ରାୟ ୪୦ କିମି। ସେଠାରେ ଏକମାତ୍ର ବିଏସ୍‌ଏନ୍‌ଏଲ୍‌ର ମୋବାଇଲ ସେବା ରହିଥିବା ବେଳେ ନିୟମିତ ଏହି ସେବା ଲୋକଙ୍କୁ ମିଳୁନି। ଫଳରେ ସ୍ବାସ୍ଥ୍ୟସେବା ପାଇଁ ଆମ୍ବୁଲାନ୍ସ ଡକାଇବା ସମ୍ଭବ ହେଉନାହିଁ। ସେହିପରି କ୍ଷୁଦ୍ର ବ୍ୟାଙ୍କ ସେବା ସହ ଅନଲାଇନ କାର୍ଯ୍ୟ ପାଇଁ ଅଞ୍ଚଳବାସୀ ବହୁ ସମସ୍ୟାର ସମ୍ମୁଖୀନ ଭୋଗୁଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦିଆଯାଇ ଥିଲେ ମଧ୍ୟ ତାଙ୍କୁ ପଡ଼ୋଶୀ ଗଜପତି ଜିଲା ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଡେପୁଟେଶନରେ ପଠାଯାଇଛି। ଫାର୍ମାସିଷ୍ଟ ଅଛନ୍ତି କିନ୍ତୁ ସେ ନିୟମିତ ଗଦାପୁରରେ ରହୁନାହାନ୍ତି ଆସି ଡ୍ୟୁଟି କରି ସେ ବ୍ରାହ୍ମଣୀଗାଁରେ ରହିଛନ୍ତି। ଫଳରେ ସେଠାରେ ରୋଗୀ ସେବା ବ୍ୟାହତ ହୋଇଛି। ପୋଲିସ ବୃଦ୍ଧାଙ୍କ ନାଳରେ ବୁଡି ମୃତ୍ୟୁ ଘଟଣାକୁ ନେଇ ଏକ ଅପମୃତ୍ୟୁ ମାମଲା (୬/୨୫)ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ଘଟଣାସ୍ଥଳରେ ଦାରିଙ୍ଗବାଡି ବିଡିଓ ପ୍ରୀତିରଞ୍ଜନ ରଥ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ, ବ୍ରାହ୍ମଣୀଗାଁ ଆଇଆଇସି ବିଜୟ କୁମାର ହାଇବୁରୁ, ସବଇନ୍ସପେକ୍ଟର ଅମରେନ୍ଦ୍ର ସୁବୁଦ୍ଧି ସଦଳବଳ ଗଦାପୁରରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ