Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲିଗୁଡା ରେ ପବିତ୍ର ବାହୁଡା ଯାତ୍ରା ପାଳିତ : ଜନ୍ମବେଦୀ ଛାଡ଼ି ରତ୍ନବେଦୀକୁ ଯାତ୍ରା କଲେ ବ୍ରହ୍ମାଣ୍ଡପତି

ବାଲିଗୁଡା : ତା, ୦୫/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): ଜନ୍ମବେଦୀରେ ଲୀଳାଖେଳ ସାରି ବଡ ଭାଇ ବଳଭଦ୍ର ଓ ସାନ ଭଉଣୀ ସୁଭଦ୍ରାଙ୍କୁ ସାଥିରେ ଧରି ଆଜି ରତ୍ନ ବେଦୀ କୁ ଫେରିଛନ୍ତି l ହଜାର ହଜାର ଭକ୍ତଙ୍କ ସମାଗମରେ ଭାବଭକ୍ତି, ଘଣ୍ଟନାଦରେ ପୁରି ଉଠିବା ସହ ଲୋକାରଣ୍ୟ ହୋଇଥିଲା ବାଲିଗୁଡା ସହର, ଭକ୍ତ ଓ ଭଗବାନ ଏକାଠି ହୋଇଥିଲେ l ପହଣ୍ଡି ବିଜେ ପରେ ରଥାରୂଢ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି । ପହଣ୍ଡିରେ ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନ, ଧାଡି ପହଣ୍ଡିରେ ବଡ ଠାକୁର ବଳଭଦ୍ର ଓ ପରେ ମହାପ୍ରଭୁ କାଳିଆ ସାଆନ୍ତ ନନ୍ଦିଘୋଷ ରଥକୁ ବିଜେ କରିଥିଲେ । ସମସ୍ତ ନୀତି ନିର୍ଘଣ୍ଟ ଅନୁସାରେ ଖଣ୍ଡିୟ ବନାଧିକାରୀ ବିଶ୍ୱରାଜ ପଣ୍ଡା ରଥରେ ଛେରା ପହଁରା ନୀତି କରିଥିଲେ । ଛେରା ପହଁରା ନୀତି ପରେ ଚାରମାଳ ଫିଟା ହୋଇ ଘୋଡା ଯୋଚା ନୀତି ପରେ ରଥଟଣା ଆରମ୍ଭ ହୋଇଥିଲା । ଗୁଣ୍ଡିଚା ମନ୍ଦିର ଠାରୁ ଶ୍ରୀ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଭକ୍ତ ଓ଼ ଭଗବାନ ଏକାଠି ହୋଇଥିବା ବେଳେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ହଜାର ହଜାର ଭକ୍ତ ଜଗନ୍ନାଥ ଓ଼ ବଳଭଦ୍ର ରଥ କୁ ଟାଣି ନେଇଥିବା ବେଳେ ସୁଭଦ୍ରା ରଥ କୁ କେବଳ ମହିଳା ଭକ୍ତ ମାନେ ହିଁ ଟାଣିଟାଣି ସନ୍ଧ୍ୟାସୁଦ୍ଧା ତିନିରଥ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଞ୍ଚାଇବା ପରେ ସନ୍ଧ୍ୟା ଆଳତୀ ହଜାର ହଜାର ଭକ୍ତଙ୍କ ଗହଣରେ ହୋଇଥିଲା। ପରେ ପରେ ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଟାଉନ ର ମା’ ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ ତରଫରୁ କାନିକା ଭୋଗ, ବିଜେପି ନଗର ମଣ୍ଡଳ ତରଫରୁ ବୁନ୍ଦି, ବ୍ରାହ୍ମଣ ସମାଜ ତରଫରୁ ରସଗୋଲା ବଣ୍ଟନ କରାଯାଇଥିଲା l ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟି ରେ ରଖି ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ ଙ୍କ ନିର୍ଦେଶ କ୍ରମେ ଥାନା ଅଧିକାରୀ ସମ୍ବିତ କୁମାର ସ୍ୱାଇଁ ଙ୍କ ନେତୃତ୍ୱ ରେ ସମଗ୍ର ଅଞ୍ଚଳରେ କଡା କଡ଼ି ପାଟ୍ରୋଲିଂ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ଟି. ଶ୍ରୀନିବାସ ରାଓ, ମଧୁସୂଦନ ଦାସ, ଲୋକନାଥ ପାଢ଼ୀ ଙ୍କ ସମେତ ସମସ୍ତ ସଦସ୍ୟ ଏବଂ ଅଞ୍ଚଳର ପର୍ଶୁରାମ ବାହିନୀ, ବ୍ରାହ୍ମଣ ସମିତି, ବିଭିନ୍ନ ଯୁବକ ସଂଘ, ମହିଳା ସଂଘ, ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ