Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜେଜେମା ଭରସାରେ ନାତି ନାତୁଣୀ

ଖଡ଼ିଆଳ : ଜୀବନକୁ ଭଲ ଭାବରେ ବୁଝିବା ଆଗରୁ ବାପା ମାଆ ଙ୍କୁ ହରାଇଲେ।ମୁଣ୍ତ ଉପରର ଛାତ ଓ ପାଦ ତଳର ମାଟିକୁ କିଏ ସବୁଦିନ ପାଇଁ ଛଡାଇ ନେଇଗଲା।ଜୀବନର ଅପରାହ୍ଣରେ ପଣତ ଢାଙ୍କି ଆଶ୍ରୟ ଦେଇଛି ଜେଜେ ମାଆ।ହେଲେ ପାଚିଲା ମଣିଷଟି କେତେବେଳେ ଝଡି ପଡିବ କିଏ ଜାଣେ?ତାପରେ ଏହି ଦୁଇ ଅନାଥ ଶିଶୁଙ୍କ ସାହାରା ହେବ କିଏ ? ନୂଆପଡା ଜିଲ୍ଲା ଉଲ୍ଲାସ ଦିନେ ପୁଅ ବୋହୂ ଓ ନାତି ନାତୁଣୀ କୁ ନେଇ ସୁନାର ନୀଡ଼ ଗଠନ କରିଥିଲେ।କିନ୍ତୁ ଜାଣି ନଥିଲେ ଅଦିନିଆ ବାତ୍ୟାରେ ତାଙ୍କର ଏହି ବାଇ ଚଢେଇ ବସା ଯେ ଦିନେ ଉଜୁଡିଯିବ। ଏକମାତ୍ର ପୁଅ କାଳିଆ କ୍ୟାନସର ରୋଗରେ ଆକ୍ରାନ୍ତ ହେଲେ।ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଇଲେ ଉଲ୍ଲାସ ହେଲେ ପୁଅକୁ ବଞ୍ଚାଇ ପାରିଲେ ନାହିଁ।୨୦୨୧ ରେ ପୁଅର ମୃତ୍ୟୁ ପରେ ଭାଙ୍ଗି ପଡିଲେ ସେ।ଭାଗ୍ୟର ଖେଳ କିନ୍ତୁ ଏଇଠି ଶେଷ ହେଲା ନାହିଁ,ସ୍ୱାମୀକୁ ଝୁରି ଝୁରି ଗୋଟିଏ ବର୍ଷ ପରେ ବୋହୂ ତରୁଣୀ ମଧ୍ୟ ଚାଲିଗଲା(କାଳିଆ ର ସ୍ତ୍ରୀ)।ପୁଅ ବୋହୂ କୁ ହରାଇ ମାନସିକ ଯନ୍ତ୍ରଣା ଭୋଗୁଥିବା ଉଲ୍ଲାସ କୁ ଅନେକଥର ମରିଯିବାକୁ ଇଛା ହୁଏ।କିନ୍ତୁ ସେ ପାରନ୍ତି ନାହିଁ କାରଣ ପୁଅବୋହୂ ର ଦୁଇଟି ସନ୍ତକ ଯେ ତାଙ୍କ ପାଖରେ ଅଛନ୍ତି।ସେ ଦୁଇଙ୍କୁ ସାଇତି ରଖିବାକୁ ପଡିବ।ଛାତିକୁ ଟାଣ କରି ନାତୁଣୀ ମମତା(୧୧ ବର୍ଷ) ଓ ନାତି
ଡିଜେନ୍ଦ୍ର(ବୟସ ୫ ବର୍ଷ)ଙ୍କୁ ପାଳିବାକୁ ଲାଗିଲେ।ମାସକୁ ମିଳୁଥିବା ପାଞ୍ଚ ଶହ ଟଙ୍କା ଭତ୍ତା ଓ ୩୫ କିଲୋଗ୍ରାମ ଚାଉଳ ହିଁ ତିନି ପ୍ରାଣୀଙ୍କ ବଞ୍ଚିବାର ରାହା।କେବେ କେବେ ବୃଦ୍ଧା ଉଲ୍ଲାସ କୁଳି ମଜୁରୀ କରିବାକୁ ଲୋକଙ୍କ ଘରକୁ ଯାଆନ୍ତି।କିଛି ନ ମିଳିଲେ ମାଗି ଯାଚି ଚଳିବାକୁ ପଡେ।ଏବେ କେନ୍ଦୁପତ୍ର ସଂଗ୍ରହ ଚାଲୁଥିବା ବେଳେ ଜେଜେ ମାଆ ସହ ନାତୁଣୀ ମମତା ମଧ୍ୟ ତାଙ୍କ ସହ ଯାଇ ପତ୍ର ତୋଳୁଛି।ତିନି ପ୍ରାଣୀ ଏବେ ପୁରୁଣା ମାଟି ଘରରେ ରହୁଛନ୍ତି।ବାରମ୍ବାର ଆବେଦନ ସତ୍ତ୍ୱେ ଆବାସ ଯୋଜନାରେ ଘର ଖଣ୍ଡେ ମିଳି ପାରୁନାହିଁ।ମମତା ସ୍ଥାନୀୟ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ବେଳେ ଜେଜେ ମାଆ ଙ୍କୁ ସହଯୋଗ ପାଇଁ ଅନେକ ସମୟରେ ସ୍କୁଲ ଯାଇ ପାରେନି।ସେହିପରି ଡିଜେନ୍ଦ୍ର ଅଙ୍ଗନୱାଡି କେନ୍ଦ୍ର ଯାଉଛି।ଦୁଇ ନାତି ନାତୁଣୀଙ୍କ ପାଇଁ ଜେଜେ ମାଆ ଚିନ୍ତାରେ।ତାଙ୍କର କିଛି ହୋଇଗଲେ ଏହି କଅଁଳ ଶିଶୁଙ୍କ ଦାୟିତ୍ୱ ବୁଝିବ କିଏ?ତେଣୁ ସେମାନଙ୍କୁ କୌଣସି ଥଇଥାନ କେନ୍ଦ୍ରରେ ରଖି ପାଠ ପଢ଼ାଇବାକୁ ସେ ଅନୁରୋଧ କରିଛନ୍ତି।ତାଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରି କୌଣସି ଥଇଥାନ କେନ୍ଦ୍ର ରେ ରଖିବାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି ବୋଡେ଼ନ ବିଡିଓ ପ୍ରିୟରଞ୍ଜନ କୁମାର।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ