Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୯୦ ବର୍ଷ ବୟସରେ ପଦାର୍ପଣ କଲେ ଦଲାଇ ଲାମା

ନୂଆଦିଲ୍ଲୀ : ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା ଆଜି ୯୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସୋସିଆଲ ମିଡିଆ ସାଇଟ X ରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କୁ ‘ପ୍ରେମ, କରୁଣା, ଧର୍ଯ୍ୟ ଏବଂ ନୈତିକ ଶୃଙ୍ଖଳା’ର ପ୍ରତୀକ ଭାବରେ ବର୍ଣ୍ଣନା କରି ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନର କାମନା ମଧ୍ୟ କରିଛନ୍ତି। ଦଲାଇଲାମା ସାରା ବିଶ୍ୱରେ ନିଜର ଦୟା ଓ କରୁଣା ଭାବ ପାଇଁ ପରିଚିତ ଅଟନ୍ତି।

ତେବେ ତାଙ୍କ ଜନ୍ମଦିନକୁ ଭାରତରେ ମଧ୍ୟ ମହା ଆଡମ୍ବରରେ ପାଳନ କରାଯାଏ। ରବିବାର ସକାଳେ ତିବ୍ଦତୀୟ ବୌଦ୍ଧ ଭିକ୍ଷୁମାନେ ହିମାଚଳ ପ୍ରଦେଶର ସିମଲା ନିକଟସ୍ଥ ଡୋର୍ଜିଡାକ୍ ମଠରେ ତାଙ୍କ ପାଇଁ ବିଶେଷ ପ୍ରାର୍ଥନା କରିଥିଲେ। କେବଳ ଏତିକି ନୁହେଁ ତାଙ୍କ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଧର୍ମଶାଳାରେ ମଧ୍ୟ ଏକ ବଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବିଜେପି ନେତା ବିଜୟ ଜଲି ଏବଂ ଜେଡିୟୁ ନେତା ରାଜୀବ ରଞ୍ଜନ (ଲାଲନ) ସିଂହଙ୍କ ସମେତ ଅନେକ ନାମୀଦାମୀ ନେତା ମାନେ ଉପସ୍ଥିତ ଥିଲେ।

ଦଲାଇ ଲାମାଙ୍କ ପ୍ରକୃତ ନାମ ତେନଜିନ୍ ଗ୍ୟାତସୋ। ସେ ୬ ଜୁଲାଇ ୧୯୩୫ରେ ତିବ୍ଦତର ତକ୍ସର ଗାଁରେ ଜନ୍ମଗ୍ରହଣ କରିଥିଲେ। ମାତ୍ର ଦୁଇ ବର୍ଷ ବୟସରେ ତାଙ୍କୁ ତିବ୍ଦତର ତ୍ରୟୋଦଶ ଦଲାଇ ଲାମାଙ୍କ ପୁନର୍ଜନ୍ମ ଭାବରେ ବିବେଚନା କରାଯାଇଥିଲା। ପରେ ତାଙ୍କୁ ୧୯୩୯ ମସିହାରେ ଲାସାକୁ ଅଣାଯାଇ ୨୨ ଫେବୃଆରୀ ୧୯୪୦ ରେ ତିବ୍ଦତର ସର୍ବୋଚ୍ଚ ନେତା ଭାବରେ ପ୍ରତିଷ୍ଠିତ ହୋଇଥିଲେ। ମାତ୍ର ଛଅ ବର୍ଷ ବୟସରୁ ହିଁ ସେ ବୌଦ୍ଧ ଶିକ୍ଷା ଗ୍ରହଣ କରିବା ଆରମ୍ଭ କରିଥିଲେ।

‘ଦଲାଇ ଲାମା’ ଏକ ମଙ୍ଗୋଲିଆନ୍ ଶବ୍ଦ, ଯାହାର ଅର୍ଥ – ‘ଜ୍ଞାନର ମହାସାଗର’।ତେବେ ଦଲାଇ ଲାମାଙ୍କୁ କରୁଣାର ବୋଧିସତ୍ୱ (ବୁଦ୍ଧଙ୍କ ପରି ସଚେତନ ପ୍ରାଣୀ)ଙ୍କ ଅବତାର ବୋଲି ବିବେଚନା କରାଯାଏ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ