କନ୍ଧମାଳ, ତା, ୧୦/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ବିନକି ମେଣ୍ଡି ଗାଁର ଜଣେ ୨୧ ବର୍ଷ ବୟସ୍କ ଯୁବକ ନିଖୋଜ ଥିବା ନେଇ ପରିବାର ଲୋକେ ଗୋଚ୍ଛାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଯୁବକ ଜଣକ ଚଳିତ ମାସ ୪ ତାରିଖ ଦିନ ସମ୍ପର୍କୀୟଙ୍କ ବାଇକ୍ ଧରି କଟ୍ରିଙ୍ଗିଆ ଯାଉଛି କହି ଯାଇ ଘରକୁ ଫେରିନଥିଲେ l ପରିବାର ଲୋକଙ୍କୁ ୬ ତାରିଖ ଦିନ ଯୁବକଙ୍କ କିଛି ସାଙ୍ଗ ଖଜୁରୀପଡ଼ା ଥାନା ଅଞ୍ଚଳ ଗୁଦାରି ନିକଟରେ ଦୁର୍ଘଟଣା ହୋଇଥିବା ନେଇ ସୂଚନା ଦେଇଥିଲେ । ଖବର ପାଇ ପରିବାର ଲୋକେ ଦୁର୍ଘଟଣା ଘଟିଥିବା କହୁଥିବା ସ୍ଥାନକୁ ଯାଇ ଖୋଜାଖୋଜି କରିଥିଲେ କିନ୍ତୁ କୌଣସି ପତ୍ତା ପାଇନଥିଲେ । ପରେ ଫୁଲବାଣୀର ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି କରିବା ସହ ନିଜର ସମ୍ପର୍କୀୟ, ବନ୍ଧୁ ବାନ୍ଧବଙ୍କ ଘରେ ମଧ୍ୟ ଖୋଜାଖୋଜି କରିଥିଲେ l କୌଣସି ସନ୍ଧାନ ନମିଳିବାରୁ ଗୋଚ୍ଛାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ପୋଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଗୁରୁବାର ତପନଙ୍କ ମୃତଦେହ ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ଠାବ ହୋଇଛି ।
ଜଙ୍ଗଲରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ
