ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ


ଭୁବନେଶ୍ବର: ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ ସମେତ ୮ ବିରୋଧି ଦଳ। ସବୁ ବିରୋଧୀ ଦଳ ନ୍ୟାୟ ଦାବିରେ ହଲ୍ଲାବୋଲ କରୁଛନ୍ତି। ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ଡାକରା ଦିଆଯାଇଛି।

ସୂଚନା ଅନୁଯାୟୀ, ଆଉ ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ବି ଦେଖିବାକୁ ମିଳିଲାଣି । କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇବା ସହ ପିକେଟିଂ କରିବା ଆରମ୍ଭ କରିଦେଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ସଂଧ୍ୟା ୬ଟା ପରେ ହିଁ ପେଟ୍ରୋଲ ପମ୍ପଗୁଡିକ ଖୋଲିବ ବୋଲି କୁହାଯାଉଛି।

ଗାଡ଼ି ମୋଟର ଚଳାଚଳ ବନ୍ଦ ରହିବା ସହ ସ୍କୁଲ୍ କଲେଜ୍, ଦୋକାନ ବଜାର ଓ ବ୍ୟାବସାୟିକ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିଛି। ତେବେ ବନ୍ଦ ପାଳନ ବେଳେ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି। ସେହିପରି କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅପରପକ୍ଷରେ କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍। ଟ୍ବିନ୍‌ ସିଟିର ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବିଧାନସଭା ଅଞ୍ଚଳରେ ପୋଲିସର କଡ଼ା ସୁରକ୍ଷା ରହିଛି।