Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାନେର,ଲଡ଼ୁଗାଁ ପିଡବ୍ଲୁଡ଼ି ରାସ୍ତା ନିର୍ମାଣ ଦାବି ରେ ଆମରଣ ଅନଶନଦ୍ଵିତୀୟ ଦିନରେ,କାର୍ଯ୍ୟ ଆରମ୍ଭ ନେଇ ଲିଖିତ ପ୍ରତିଶ୍ରୁତି ପରେ ସ୍ଥଗିତ।

କଳାହାଣ୍ଡି,୨୪/୦୭
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବାନେର ଠାରୁ କୋକସରା ବ୍ଳକ ଲଡ଼ୁଗାଁ କୁ ସଂଯୋଗ କରୁଥିବା ପିଡବ୍ଲୁଡ଼ି ରାସ୍ତା ର ମରାମତି ପାଇଁ ବିଗତ କିଛି ବର୍ଷ ହେବ ଦାବି ହୋଇ ଆସୁଛି। ବୁଧବାର ଠାରୁ ରାସ୍ତା ନିର୍ମାଣ ଦାବି ରେ ଯୁବ ସମାଜସେବି ବିଘ୍ନରାଜ ପଣ୍ଡା,ଅନନ୍ତ କୁମାର ପଟ୍ଟନାୟକ,ଚିନ୍ତାମଣି କୁମ୍ଭାର ବାନେର ଛକ ଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନ ଆରମ୍ଭ କରିଥିଲେ।
ସୂଚନା ଅନୁସାରେ ଜୟପାଟଣା ବ୍ଳକ ବାନେର ଛକ ରୁ କୋକସରା ବ୍ଲକ ଲଡୁଗାଁ କୁ ସଂଯୋଗ କରୁଥିବା ୧୪ କିମି ରାସ୍ତା ର ଅବସ୍ଥା ଦୀର୍ଘବର୍ଷ ଧରି ଶୋଚନୀୟ ହୋଇ ପଡିଛି। ଅଞ୍ଚଳବାସି ବହୁବାର ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଦାବି ଓ ଆନ୍ଦୋଳନ କରିଥିଲେ ମଧ୍ୟ ପ୍ରଶାସନ ର ପ୍ରତିଶ୍ରୁତି ଦେଇ ରାସ୍ତା ନିର୍ମାଣ କାର୍ଯ୍ୟ ଅଧୁରା ହୋଇ ପଡିଛି। ଅନ୍ୟ ପକ୍ଷରେ କୋକସରା ବ୍ଲକ ର ଏକ ବ୍ୟବସାୟିକ ପେଣ୍ଠସ୍ଥଳି ହେଉଛି ଲଡୁଗାଁ ସହର ଏହି ସହର ଉପରେ ଦୈନିକ କୋକସରା ର ୨୨ ପଞ୍ଚାୟତ ସମେତ ଜୟପାଟଣା ବ୍ଲକ ର ବାନେର, ଭଇଁରି ପାଲି, ରେଙ୍ଗାଲପାଲି ଉଛୁଲା,ବଡ଼ ପୁଝାରିଗୁଡା,ଅଁଳାଭଟା,କୁଚାଗାଁ ଆଦି ପଞ୍ଚାୟତବାସୀ ନିର୍ଭରଶୀଳ।ପୂର୍ବରୁ ଏହି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ବେଳେ ଏହା ପୂର୍ତ୍ତ ବିଭାଗ କୁ ହସ୍ତାନ୍ତର ହୋଇଛି।ରାସ୍ତା ନିର୍ମାଣ ପାଇଁ ନିର୍ବାଚନ ପୂର୍ବରୁ ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଅମିତ ସାହା ଭୁବନେଶ୍ୱର ର ଏକ ବୈଠକ ରେ ଅଟକଳର ପରିମାଣ ମଧ୍ୟ ଘୋଷଣା କରିଥିଲେ । ଲୋକେ ଆଶା କରିଥିଲେ ରାସ୍ତା ପ୍ରଶସ୍ତି କରଣ ହେବା ସହ ଯାତାୟତ ରେ ସୁବିଧା ହେବ, ହେଲେ ମୋଟେର ଠାରୁ ଲଡୁଗାଁ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଲଡୁଗାଁ ରୁ ବାନେର ନିର୍ମାଣ କାର୍ଯ୍ୟ ରେ ଅହେତୁକ ବିଳମ୍ବ ଯୋଗୁଁ ଅସନ୍ତୋଷ ପ୍ରତିବାଦ ରେ ବାନେର ଛକ ଠାରେ ତିନି ଜଣ ଯୁବକ ଆମରଣ ଅନଶନ ରେ ଓଲ୍ଲାଇ ସରକାର କୁ ଚେତାବନୀ ଦେଇଛନ୍ତି।
ଏହି ଘଟଣା ରେ ଗୁରୁବାର ଘଟଣାସ୍ଥଳରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ପହଞ୍ଚି ଆନ୍ଦୋଳନ କୁ ସମର୍ଥନ ଜଣାଇବା ସହ ପ୍ରଶାସନିକ ଅଧିକାରୀ ଙ୍କ ସହ ଫୋନ ଯୋଗେ ଆଲୋଚନା କରି ଘଟଣାସ୍ଥଳ କୁ ଡକାଇ ସମାଧାନ ପାଇଁ ହସ୍ତକ୍ଷେପ କରିଥିଲେ। ଜୟପାଟଣା ବିଡ଼ିଓ ଧର୍ମରାଜ ମାଝୀ, ତହସିଲଦାର ରଘୁନାଥ ମୁଣ୍ଡାରୀ, ବ୍ଲକ ଅଧ୍ୟକ୍ଷ ଥବିର ବାଗ ସମେତ ପୁର୍ତ୍ତି ବିଭାଗ ର ସହକାରୀ ଯନ୍ତ୍ରୀ ଡି. ସି ଟୁଡୁ ପହଞ୍ଚି ଅନଶନ ରେ ବସିଥିବା ଯୁବକ ଙ୍କ ସହ ଆଲୋଚନା କରି ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ହୋଇ ସାରିଛି,ଦୁଇଟି ପର୍ଯ୍ୟାୟରେ ରାସ୍ତା ନିର୍ମାଣ କାର୍ଯ୍ୟ ହେବ ବୋଳି ସୂଚନା ଦେବାସହ ରାସ୍ତା ନିର୍ମାଣ ନହେବା ପର୍ଯ୍ୟନ୍ତ ସାମୟିକ ଭାବେ ରାସ୍ତା ମରାମତି କରିବା ପାଇଁ ଲିଖିତ ଭାବେ ପ୍ରତିଶ୍ରୁତି ଦେଇଥିଲେ। ପରେ ଆମରଣ ଅନଶନ ପ୍ରତ୍ୟାହୃତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ