ପ୍ରାୟ ୪କୋଟି ଟଙ୍କା ହେରଫେର ଅଭିଯୋଗରେ ମହିଳା ଓଏଏସ୍ ଅଫିସର ମଧୁସ୍ମିତା ସିଂଙ୍କୁ ଆଜି ଓଡ଼ିଶା ପୁଲିସର ଅର୍ଥନୀତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଗିରଫ କରିଛି । ମଧୁସ୍ମିତା ଏବେ ମୟୂରଭଞ୍ଜ ଜିଲ୍ଲାର ଜାମଦା ତହସିଲରେ ତହସିଲଦାର ଭାବେ କାର୍ଯ୍ୟରତ ଥିଲେ ଓ ବେଲପାହାଡ଼ ପୌର ପରିଷଦରେ କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ବେଳେ ଏହି ଆର୍ଥିକ ହେରଫେର ହୋଇଥିବା ନେଇ ଅଭିଯୋଗ ହୋଇଛି । ମଧୁସ୍ମିତାଙ୍କୁ ରାଜସ୍ୱ ବିଭାଗ ଇତିମଧ୍ୟରେ ଚାକିରିରୁ ନିଲମ୍ବନ କରିସାରିଛି ।
ସୂଚନା ଅନୁସାରେ, ବେଲପାହାଡ଼ ପୌର ପରିଷଦରେ କୋଟିକୋଟି ଟଙ୍କା ହେରଫେର ମାମଲାରେ ଅର୍ଥନୀତିକ ଅପରାଧ ଶାଖା ମଧୁସ୍ମିତାଙ୍କୁ ଗିରଫ କରିଛି । ବେଲପାହାଡ଼ ପୁଲିସ ପ୍ରଥମେ ଏହି ମାମଲାର ପ୍ରାଥମିକ ତଦନ୍ତ କରିଥିଲା ଓ ଗତ ଅଗଷ୍ଟ ୨୭ତାରିଖରେ ଅର୍ଥନୀତିକ ଅପରାଧ ଶାଖାକୁ ମାମଲା ହସ୍ତାନ୍ତର ହୋଇଛି । ଏହି ଆର୍ଥିକ ହେରଫେର ମାମଲାରେ ବେଲପାହାଡ଼ ପୌର ପରିଷଦର ଟ୍ରେଜରର ବିଭୂତି ସାହୁଙ୍କୁ ପୁଲିସ ଗିରଫ କରିସାରିଛି । ମଧୁସ୍ମିତା ବେଲପାହାଡ଼ା ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଥିବାବେଳେ ପ୍ରାୟ ୪କୋଟି ଟଙ୍କାରୁ ଅଧିକ ଆର୍ଥିକ ଅନିୟମିତତା ହୋଇଥିବା କୁହାଯାଉଛି ।