ଦୁଇଜଣ ଛାତ୍ର ବିଦ୍ୟାଳୟ ସାମ୍ନା ଏକ ଦୋକାନରୁ ପେନ୍ କିଣି ସ୍କୁଲକୁ ଯାଉଥିଲେ, ଅଘୋରୀ ବେଶରେ ପିଲା ଚୋରୀ ଉଦ୍ୟମରୁ ଅଳ୍ପକେ ବର୍ତିଲେ

ଅଘୋରୀ ବେଶରେ ପିଲା ଚୋରୀ ଉଦ୍ୟମ । ସାଧୁ ମାନଙ୍କ ନାମକୁ କଲେ ବଦନାମ । ଏଭଳି ଏକ ଘଟଣା ଘଟିଯାଇଛି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସୁଶୁବା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭାଲିଆବେଡା ଗ୍ରାମରେ । ଭାଲିଆବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଦୁଇଜଣ ଛାତ୍ର ବିଦ୍ୟାଳୟ ସାମ୍ନା ଏକ ଦୋକାନରୁ ପେନ୍ କିଣି ସ୍କୁଲକୁ ଯାଉଥିଲେ ।
ହେଲେ ଏହି ସମୟରେ ମଧ୍ୟପ୍ରଦେଶ ନମ୍ବର ଥିବା ଦୁଇଟି ମାରୁତି K10 ଗାଡିରେ ନଅ ଜଣ ଭଣ୍ତ ଅଘୋରୀ ଗୋଟେ ପିଲାକୁ ଉଠାଇ ନେବାକୁ ଉଦ୍ୟମ କରିଥିଲେ । ହେଲେ ସାଥୀରେ ଥିବା ଅନ୍ୟ ଛାତ୍ର ଜଣକ ହଠାତ୍ ତାକୁ ଟାଣି ଆଣିଥିଲା । ଯାହାପରେ ପିଲାଟି ଅପହରଣ ହେବାରୁ ବର୍ତ୍ତି ଯାଇଥିଲା । ଏହାପରେ ବିଦ୍ୟାଳୟ ଭିତରକୁ ଦୌଡି ଯାଇ ପ୍ରଧାନଶିକ୍ଷକଙ୍କୁ କହିଥିଲେ ଘଟିଥିବା ସମସ୍ତ ଘଟଣା ବିଷୟରେ ।
ପ୍ରଧାନଶିକ୍ଷକ ବିଳମ୍ବ ନକରି ସଙ୍ଗେ ସଙ୍ଗେ ଖବର ଦେଇଥିଲେ ସତ୍ୟ ପ୍ରକାଶଙ୍କ ବାପା ଏବଂ ଗ୍ରାମବାସୀଙ୍କୁ । ଦୁଇଟି କାର୍ ଦୃତ ଗତିରେ ପଳାଇ ଯାଉଥିବାବେଳେ ଗ୍ରାମବାସୀ ସେମାନଙ୍କର ପିଛା କରିଥିଲେ । ଏହା ଦେଖି ଦୁଇଟି ଯାକ କାର୍ ଗାଁର ମୁଖ୍ୟ ରାସ୍ତା ଛାଡି ଏକ ଗଳି ରାସ୍ତାରେ ପସି ଯାଇଥିଲେ ଏବଂ ରାସ୍ତାଟି କିଛି ବାଟରେ ଶେଷହୋଇ ଯାଇଥିଲା । ସେହି ସମୟରେ ଭଣ୍ତ ଅଘୋରୀମାନଙ୍କୁ ମାଡି ବସିଥିଲେ ଗ୍ରାମବାସୀ । ଭରପୁର ଉତ୍ତମ ମଧ୍ୟମ ଦେବା ସହ ରେଙ୍ଗାଳି ପୋଲିସ କୁ ଖବର ଦେଇଥିଲେ ଏବଂ ପୋଲିସ ହେପାଜତ ରେ ଦେଇଥିଲେ ।
ନଅଜଣ ଅଘୋରୀ ଙ୍କର ଆଧାର କାର୍ଡ ଅନୁଯାୟୀ ଜଣେ ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲା ତିନ୍ଦୱାରୀ ଗ୍ରାମର ହୋଇଥିବାବେଳେ ଅନ୍ୟ ଆଠ ଜଣ ମଧ୍ୟପ୍ରଦେଶ ସତନା ଜିଲ୍ଲା ସୋହୋଲା ଗ୍ରାମର । ରେଙ୍ଗାଳି ପୋଲିସ ଦୁଇଟି ଗାଡି ଏବଂ ନଅଜଣ ଅଘୋରୀ ମାନଙ୍କୁ ଗିରଫ କରି ତଦନ୍ତ କାର୍ଯ୍ୟ ଚଳାଇଛି । ତେବେ ଶୁଣନ୍ତୁ ନିଜ ସଫେଇରେ ଏ ବାବାମାନେ କଣ ପ୍ରତିକ୍ରୀୟା ରଖିଛନ୍ତି ।