ପର୍ଯ୍ୟଟନ ସ୍ଥଳୀ ଦାୟିତ୍ୱ ହସ୍ତାନ୍ତର ନେଇ ଦୁଇ କମିଟି ମଧ୍ୟରେ ଟଣା ଓଟରା ଘଟଣା, ଜିଲ୍ଲା ପ୍ରଶାସନ ମଧ୍ୟସ୍ଥତା ରେ ସ୍ଥାୟୀ ସମାଧାନ ବୈଠକ ଅନୁଷ୍ଠିତ।

କଳାହାଣ୍ଡି,୧୦/୦୯
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡାହାଣ୍ଡି ଡୋକାରିଚଞ୍ଚରା କୁ ନେଇ ବିଗତ ରାମ ନବମୀ ପୂର୍ବରୁ ପୂର୍ବରୁ ଥିବା ଉନ୍ନୟନ କମିଟି ଓ ବନ ବିଭାଗ ଦ୍ଵାରା ଅନୁମୋଦିତ ଇ ଟି ଜି କମିଟି ମଧ୍ୟରେ ପର୍ଯ୍ୟଟନ ସ୍ଥଳୀ ର ଦାଇତ୍ୱ ହସ୍ତାନ୍ତର ନେଇ ବିବାଦ ଉପୁଜିଥିଲା। ସେହି ସମୟରେ ଏହି ବିବାଦ ରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ରାମ ନବମୀ ମହୋତ୍ସବ ପାଇଁ ଇଟିଜି କମିଟି କୁ ଦାଇତ୍ୱ ହସ୍ତାନ୍ତର କରିଥିଲେ। ତେବେ ଏନେଇ ଉନ୍ନୟନ କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ପର୍ଯ୍ୟଟନ ସ୍ଥଳି ର ଦାଇତ୍ୱ କେବଳ ଗୋଟିଏ ପଞ୍ଚାୟତ ଡୁଡୁକାଠେଙ୍ଗା ରେ ସୀମିତ ନ ରଖି ଏକ ଟ୍ରଷ୍ଟ ବୋର୍ଡ ଗଠନ କରି ବ୍ଲକ ର ବିଭିନ୍ନ ପଞ୍ଚାୟତ ର ଜନ ପ୍ରତିନିଧି,ବୁଦ୍ଧିଜୀବୀ ଓ ପ୍ରଶାସନିକ ଅଧିକାରୀ ଙ୍କୁ ନେଇ କମିଟି ଗଠନ କରିବାକୁ ଲିଖିତ ଅଭିଯୋଗ ହୋଇଥିଲା।
ଏହି ବିବାଦୀୟ ଘଟଣା ରେ ହାଇକୋର୍ଟର ନିର୍ଦ୍ଦେଶ ଆସିବା ପରେ ସ୍ଥାୟୀ ସମାଧାନ କରିବାକୁ ବୁଧବାର କୋକସରା ବ୍ଲକ କାର୍ଯ୍ୟାଳୟ ସଭାଗୃହ ରେ ଏକ ବୈଠକ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ,ସ୍ଥାନୀୟ ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ,ଧର୍ମଗଡ ବନାଞ୍ଚଲ ଅଧିକାରୀ ଭବାନୀ ଶଙ୍କର କାଉର୍, ଆମପାଣି ଥାନା ଅଧିକାରୀ ପ୍ରଶାନ୍ତ କୋଲହାରସ ଙ୍କ ଉପସ୍ଥିତି ରେ ଉନ୍ନୟନ କମିଟି ର ସଭାପତି ଭଦରେଶ୍ୱର ପାତ୍ର, ଘନଶ୍ୟାମ ନାଏକ,ସୁଧୀର କୁମାର ପାତ୍ର, ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ଡୋକରିଚଞ୍ଚରା ସୁରକ୍ଷା ମଞ୍ଚ ର ସଭାପତି ରାଜେନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ରହି ଦୁଇ କମିଟି ଓ ବ୍ଲକ ର ଅନ୍ୟ ପଞ୍ଚାୟତ ର ଜନ ପ୍ରତିନିଧି, ସଚେତନ ନାଗରିକ, ବୁଦ୍ଧିଜୀବୀ ଓ ପ୍ରଶାସନିକ ଅଧିକାରୀ ଙ୍କୁ ନେଇ ଏକ ଟ୍ରଷ୍ଟ ବୋର୍ଡ ଗଠନ କରି ଗୁଡାହାଣ୍ଡି ପର୍ଯ୍ୟଟନ ସ୍ଥଳୀର ରକ୍ଷଣାବେକ୍ଷଣ ଦାୟିତ୍ୱ ହସ୍ତାନ୍ତର କରିବାକୁ ବୈଠକରେ ମତ ଦେଇଥିଲେ। ତେବେ ଇଟିଜି କମିଟି ର କର୍ମକର୍ତ୍ତା ଖଗେଶ୍ବର ପାଣିଗ୍ରାହୀ,ରଘୁମଣି ଖମାରି, ମଣିରାମ ବାଣୁଆ,ବିରେନ କନ୍ଧ,ପଦ୍ମନ ଚଳାନ,ପୁରୁନ କନ୍ଧ ପ୍ରମୁଖ ଡୁଡୁକାଠେଙ୍ଗା ପଞ୍ଚାୟତ ପାଦଦେଶରେ ପର୍ଯ୍ୟଟନ ସ୍ଥଳୀ ରହିଥିବା ବେଳେ ଇଟିସି କମିଟି କୁ ଦାୟିତ୍ୱ ହସ୍ତାନ୍ତର କଲେ ସେମାନେ ସୁଚାରୁ ରୁପେ ପର୍ଯ୍ୟଟନ ସ୍ଥଳୀ ସହ ମନ୍ଦିର ର ରକ୍ଷଣାବେକ୍ଷଣ କରିପାରିବେ ବୋଳି ମତ ଦେଇଥିଲେ। ପ୍ରଶାସନିକ ଅଧିକାରୀ ଉଭୟ ପକ୍ଷ ର ମତାମତ କୁ ଶୁଣିବା ପରେ ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଦେଶ ମତେ ପର୍ଯ୍ୟଟନ ସ୍ଥଳୀ କୁ କେଉଁ କମିଟି ଏକଚାଟିଆ ନେଇ ପାରିବ ନାହିଁ, ସମସ୍ତେ ଙ୍କ ସମନ୍ୱୟ ରେ ଏକ ଟ୍ରଷ୍ଟ ବୋର୍ଡ କରି ପର୍ଯ୍ୟଟନ ସ୍ଥଳୀ ର ବିକାଶ ପାଇଁ ମିଳିତ ଭାବେ ଯୋଗଦାନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦରୱାନ କହିଥିଲେ। ତେବେ ଆଜି ବୈଠକରେ ସମାଧାନ ନେଇ କୌଣସି ନିଷ୍କର୍ଷ ବାହାରି ନଥିବା ବେଳେ ଏନେଇ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ଏକ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି କୋକସରା ବିଡ଼ିଓ ସୂଚନା ଦେଇଛନ୍ତି। ଏହି ବୈଠକରେ ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ ସମେତ ଗୁଡହାଣ୍ଡି ଉନ୍ନୟନ କମିଟି ଓ ଇଟିଜି କମିଟି ର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।