ସ୍ୱର୍ଗଦ୍ୱାରର ବିଗତ ୫ ବର୍ଷ ମଧ୍ୟରେ ପ୍ରଥମ ଘଟଣା, ଜୁଇ ନିଆଁ ଲାଗିବା ପୂର୍ବରୁ ଜିଇଁ ଉଠିଲେ ବୃଦ୍ଧା

ଶବ ଦାହ ପାଇଁ ଆଣିଥିଲେ ପୁରୀ ସ୍ବର୍ଗଦ୍ୱାର । କାଠ ଯୋଗାଡ଼ ସରିଥିଲା । ଅନ୍ତିମ ସଂସ୍କାର ପାଇଁ ସମସ୍ତେ ପ୍ରସ୍ତୁତ ମଧ୍ୟ ଥିଲେ । ଗୋଟିଏ ପଟେ ବୃଦ୍ଧା ଶୋଇଥିଲେ ଅନ୍ୟପଟେ ବନ୍ଧୁ ପରିଜନ ଲୁହ ଗଡ଼ାୁଥିଲେ । ଠିକ୍ ଏତିକି ବେଳେ ହଠାତ୍ ଘଟିଲା ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ସମସ୍ତେ ହତବାକ୍ ହୋଇ ରହିଗଲେ । ସମସ୍ତଙ୍କ ପାଟି ଖୋଲା ହିଁ ଖୋଲା ରହିଗଲା ।
କାରଣ ଶବ ସତ୍କାର କରିବା ବେଳେ ଉଠି ବସିଲେ ବୃଦ୍ଧା। ଏମିତି କିଛି ଆଶ୍ଚର୍ଯ୍ୟକର ଘଟଣା ଘଟିଛି ପୁରୀ ସ୍ବର୍ଗ ଦ୍ବାରରେ । ଆଜି ଅପରାହ୍ନରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଜଣେ ବୃଦ୍ଧାଙ୍କୁ ଟେକି ଟେକି ସ୍ୱର୍ଗଦ୍ୱାରରୁ ମେଡିକାଲ ଅଣାଯାଇ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି l ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ନିଆଁ ପରି ବ୍ୟାପିବାରେ ଲାଗିଛି ।
ବୃଦ୍ଧା ଜଣକ ହେଉଛନ୍ତି ଗଞ୍ଜାମ ପୋଲସରାର ୮୬ ବର୍ଷୀୟ ପି.ଲକ୍ଷ୍ମୀ । ପି ଲକ୍ଷ୍ମୀ ମରିଯାଇଥିବା ଜାଣି ତାଙ୍କ ପରିବାର ଲୋକମାନେ ଶବ ଦାହ ପାଇଁ ଆମ୍ବୁଲାନ୍ସ ଯୋଗେ ଗଞ୍ଜାମରୁ ପୁରୀ ସ୍ୱର୍ଗଦ୍ୱାରକୁ ଆଣିଥିଲେ l ସ୍ୱର୍ଗଦ୍ୱାର ମ୍ୟାନେଜର ବୃଦ୍ଧା ବଂଚିଥିବା ଜାଣିବାକୁ ପାଇଥିଲେ l ବୃଦ୍ଧାଙ୍କ ନିଶ୍ୱାସ ପ୍ରଶ୍ୱାସ ଚାଲୁଥିଲା l ମ୍ୟାନେଜର ବୃଦ୍ଧାଙ୍କୁ ତାଙ୍କ ପରିବାର ସହଯୋଗରେ ପୁରୀ ମେଡିକାଲ ଆଣିଥିଲେ l ଡାକ୍ତର ତାଙ୍କୁ ଚିକିତ୍ସା ପାଇଁ ବେଡ଼ ଆଡମିଶନ କରାଇଥିଲେ l ତାଙ୍କର ବ୍ରେନ୍ ଷ୍ଟ୍ରୋକ ହୋଇଥିବା ସନ୍ଦେହକରାଯାଉଛି । ଆଇସିୟୁରେ ଭର୍ତ୍ତି ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି।
ବୃଦ୍ଧାଙ୍କ ପରିବାର ଲୋକଙ୍କ କହିବା କଥା ଯେ, ପି ଲକ୍ଷ୍ମୀ କିଛି ଦିନ ହେବ ଅସୁସ୍ଥ ଥିଲେ। କାଲି ତାଙ୍କର ନିଶ୍ବାସ ବନ୍ଦ ହୋଇଯାଇଥିଲା । ଯେତେ ଡାକିଲେ ବି ସେ ଶୁଣିନଥିଲେ କି କିଛି ହଲଚଲ ହୋଇନଥିଲେ। ମୃତ ବୋଲି ଭାବି ତାଙ୍କର ଅନ୍ତିମ ସଂସ୍କାର କରିବାକୁ ପୁରୀ ସ୍ବର୍ଗଦ୍ବାର ଆଣିଥିଲେ। ହେଲେ ଏଠାକୁ ଆସିବା ପରେ ସେ ଜୀବିତ ବୋଲି ଜାଣିବାକୁ ପାଇଲେ ।
ତେବେ ସ୍ୱର୍ଗଦ୍ୱାରର ବିଗତ ୫ ବର୍ଷ ମଧ୍ୟରେ ଏହା ପ୍ରଥମ ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସତରେ କଥାରେ ଅଛି, ଦଣ୍ଡେ ନିମିଷେ ଥିଲେ ପ୍ରାଣ ନ ନିଅନ୍ତି ଜନ୍ତୁରାଣ । ଏହି ବୃଦ୍ଧା ହେଉଛନ୍ତି ତା’ର ଉଦାହରଣ । ଜୁଇରୁ ଉଠିବସିଲେ । ଜଳିବା ପୂର୍ବରୁ ଫେରିଆସିଲା ଜୀବନ ।