Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶୁଭମିତ୍ରା ହତ୍ୟା ଘଟଣାରେ ନୂଆ ମୋଡ଼: ଚାଟିଂରେ ବିସ୍ଫୋରକ ତଥ୍ୟ, ତ୍ରିକୋଣୀୟ ପ୍ରେମରୁ ହତ୍ୟା ସନ୍ଦେହ

ଟ୍ରାଫିକ୍‌ କନଷ୍ଟେବଲ ଶୁଭମିତ୍ରା ସାହୁଙ୍କ ହତ୍ୟା ଘଟଣା ଏବେ ନୂଆ ମୋଡ଼ ନେଇଛି । ପ୍ରଥମେ କଥା ଉଠିଲା ଟଙ୍କା ପାଇଁ ହତ୍ୟା କରିଛି । ଏବେ କିନ୍ତୁ ମୋଡ଼ ତ୍ରିକୋଣୀୟ ପ୍ରେମ ଆଡ଼କୁ ଯାଇଛି । ଏଥିରେ ସନ୍ଦେହ ଘେରକୁ ଆସିଛନ୍ତି ଡିସିପିଙ୍କ ଦପ୍ତରରେ କାର୍ଯ୍ୟରତ ଜଣେ ବିବାହିତ ମହିଳା କନଷ୍ଟେବଲ । ଉକ୍ତ କନଷ୍ଟେବଲଙ୍କ ପାଇଁ ଶୁଭମିତ୍ରା ଓ ଦୀପକଙ୍କ ମଧ୍ୟରେ ପୂର୍ବରୁ ଏକାଧିକ ଥର ଝଗଡ଼ା ଲାଗିଥିବା ପୁଲିସ୍‌ ଜାଣିବାକୁ ପାଇଛି । ତଦନ୍ତର ଦିଗ କମିଶନରେଟ୍‌ ପୁଲିସ୍‌ ମୁଖ୍ୟାଳୟରୁ ଡିସିପିଙ୍କ ଦପ୍ତର ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ଘଟଣାର ସବିଶେଷ ସୂଚନା ମୁତାବକ, ୨୦୧୮ ଏପ୍ରିଲ ୨୫ରେ ଅପର୍ଣ୍ଣାଙ୍କ ସହ ଦୀପକଙ୍କ ବିବାହ ହୋଇଥିଲା । କିନ୍ତୁ ବିବାହର ୨ମାସ ପରେ ସେମାନଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା ବୋଲି ଭଉଣୀ ରୋଜାଲିନ ରାଉତ କ୍ୟାପିଟାଲ୍‌ ଥାନା ପୁଲିସ୍‌କୁ ଜଣାଇଥିଲେ । ଦୀପକଙ୍କ ମା’ ଓ ତାଙ୍କ ଧରମଭଉଣୀ ତଥା କମିଶନ୍‌ରେଟ୍‌ ପୁଲିସ୍‌ରେ କାର୍ଯ୍ୟରତ ସଂପୃକ୍ତ ମହିଳା କନଷ୍ଟେବଲ ବିଭିନ୍ନ ସମୟରେ ଅପର୍ଣ୍ଣାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ବୋଲି ରୋଜାଲିନ୍‌ ଖୁଣ୍ଟୁଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ରୋଜାଲିନ କହିଛନ୍ତି, ବିଭିନ୍ନ ସମୟରେ ଉକ୍ତ ମହିଳା କନଷ୍ଟେବଲଙ୍କ ପାଇଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗୁଥିଲା । ଅପର୍ଣ୍ଣା ଦୂରରେ ଚାକିରି କରୁଥିବାରୁ ଦୀପକ ଧରମ ଉଉଣୀଙ୍କ ନିକଟତର ହେଉଥିବା ଜଣାପଡ଼ିଥିଲା । ଦୀପକଙ୍କୁ ଏ ବିଷୟରେ ଅପର୍ଣ୍ଣା ପଚାରିଲେ ସେ ଧରମ ଭଉଣୀ ବୋଲି କହି କଥାକୁ ଏଡ଼ାଇ ଦେଉଥିଲେ ।

ଦୁର୍ଘଟଣାର ୧୫ ମିନିଟ୍‌ ପୂର୍ବରୁ ଅପର୍ଣ୍ଣା ସାନଭଉଣୀ ରୋଜାଲିନଙ୍କ ସହ ଫୋନ୍‌ରେ କଥା ହୋଇଥିଲେ । ରାସ୍ତାରେ କାର୍‌ ଖରାପ ହୋଇଥିବାରୁ ସେ ଛିଡ଼ା ହୋଇଛନ୍ତି ବୋଲି କହିଥିଲେ । ଏହାପରେ ହଠାତ୍‌ ତାଙ୍କର ଦୁର୍ଘଟଣା ହେଇଥିବା ଦୀପକ କହିଥିଲା । ଦୁର୍ଘଟଣାସ୍ଥଳରେ ଅପର୍ଣ୍ଣାଙ୍କ ପରିବାର ଲୋକେ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଥିଲେ ମଧ୍ୟ କେହି କିଛି କହି ପାରିନଥିଲେ । ଅନ୍ୟପକ୍ଷରେ ଦୀପକଙ୍କ କହିବା କଥା ଥିଲା, କାର୍‌ ଖରାପ ହେବା ପରେ ସେ ଟାୟାର୍‌ ବଦଳାଉଥିଲେ ଏବଂ ଅପର୍ଣ୍ଣା ମୋବାଇଲ୍‌ ଲାଇଟ୍‌ ଦେଖାଉଥିଲେ । ହଠାତ୍‌ ଏକ ଅଜଣା ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା । ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୀପକ ଦ୍ୱିତୀୟ ବିବାହ କରିଛି ବୋଲି ମୃତ ଅପର୍ଣ୍ଣାଙ୍କ ପରିବାର ମଧ୍ୟ ଜାଣିନଥିଲେ । ଏବେ କନ୍‌ଷ୍ଟେବଲ ଶୁଭମିତ୍ରା ହତ୍ୟା ଘଟଣାରେ ଦୀପକ ଗିରଫ ହେବା ପରେ ଦ୍ୱିତୀୟ ବିବାହ କଥା ଆମେ ଜାଣିଲୁ ବୋଲି ରୋଜାଲିନ କହିଛନ୍ତି । ଦ୍ୱିତୀୟ ବିବାହ କରିବା ପରେ ମଧ୍ୟ ଦୀପକ ରୋଜାଲିନଙ୍କ ଘରକୁ ଯାଉଥିଲା ।