୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଧରିଲା ପୋଲିସ । ଗାଡି ଛାଡି ମାଫିଆ ଚମ୍ପଟ

ଗଞ୍ଜେଇ ମାଫିଆଙ୍କୁ ବଡ ପ୍ରହାର । ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଧରିଲା ପୋଲିସ । ଗାଡି ଛାଡି ମାଫିଆ ଚମ୍ପଟ । ବୌଦ୍ଧ ଜିଲ୍ଲାରେ ପୋଲିସ ପକ୍ଷରୁ ଚାଲିଛି ଅପରେସନ ପ୍ରହାର । ଆଉ ଗଞ୍ଜେଇ ମାଫିଆଙ୍କ ଉପରେ ପଡିଛି ବଡ ପ୍ରହାର । କଣ୍ଟାମାଳ ଅଞ୍ଚଳରୁ ଏକ ପିକ୍ଅପ୍ ଭ୍ୟାନରେ ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇ ଆଲର୍ଟ ହୋଇଯାଇଥିଲା ପୋଲିସ । ନିଜ ଟିମ୍ ସହ କଣ୍ଟାମାଳ ଥାନା ଅଧିକାରୀ ରଞ୍ଜିତ ମୁନି ଡୁମାରପାଲି ଛକ ନିକଟରେ ଛକି ରହିଥିଲେ । ପ୍ଲାନ ମୁତାବକ ସେହି ରାସ୍ତା ଦେଇ ଆସିଲା ଗଞ୍ଜେଇ ବୋଝେଇ ଗାଡି । ତୁରନ୍ତ ଚଢାଉ କରିଥିଲା ପୋଲିସ । ମାଫିଆମାନେ ଗାଡି ସହ ଗଞ୍ଜେଇ ଛାଡି ଚମ୍ପଟ ମାରିଛନ୍ତି । ଗାଡିରୁ ପ୍ରାୟ ୫୨୮ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷରୁ ଅଧିକ ହେବ । ଫେରାର ମାଫିଆଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଛାନ୍ଭିନ୍ ଚାଲିଛି । ସେପଟେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି କଣ୍ଟାମାଳ ପୋଲିସ ।