ଲଭ ସେକ୍ସ ଧୋକା, ମିଛ ପ୍ରେମ ଅଭିନୟ କରି ଦୁଇଜଣ ମହିଳାଙ୍କୁ ବିବାହ କରିଥିଲେ

ମିଛ ପ୍ରେମର ଅଭିନୟ କରି ଦୁଇଜଣ ମହିଳାଙ୍କୁ ବିବାହ କରିଥିଲେ । ସେମାନଙ୍କ ଟଙ୍କାରେ ଅୟସ, ଆରାମ କରୁଥିଲେ । ହେଲେ ସତ କେବେ ଲୁଚି ରହେନା । ଦିନେ ନା ଦିନେ ତାହା ପ୍ରକାଶପାଏ । ଏହି ମିଛ ପ୍ରେମ ଘଟଣାର ଫର୍ଦ୍ଦାଫାସ ହୋଇଛି । ଦୁଇ ମହିଳା ଏକାଠି ହେବା ପରେ ରଙ୍ଗିଲା ସ୍ୱାମୀର ସବୁ କାରନାମା ପଦାରେ ପଡ଼ିଛି । ଶେଷରେ ଦୁଇ ପତ୍ନୀ ଭଦ୍ରକ ଏସ୍ପିଙ୍କ ନିକଟରେ ଫେରାଦ ହେବା ପରେ ରଙ୍ଗିଲା ସ୍ୱାମୀଙ୍କ ମିଛ ପ୍ରେମ ପଦାରେ ପଡ଼ିଛି ।
ସୂଚନା ମୁତାବକ, ରଙ୍ଗିଲା ସ୍ୱାମୀ ଜଣକ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଚୁନିଦା ରସିକବଭାର ଅଞ୍ଚଳର ସିତାଂଶୁ ସେଖର । ସେ ବାଙ୍ଗାଲୁରୁରେ ଫୁଡ ସେଲ୍ପ ଭାବେ କାର୍ଯ୍ୟ କରୁଛନ୍ତି । ୨୦୨୨ ମସିହାରେ ସେ ବାଲେଶ୍ୱର ଜିଲ୍ଲାରୁ ପ୍ରଥମ ବିବାହ କରିଥିଲେ । ବିବାହ ପରେ ପ୍ରଥମ ପତ୍ନୀଙ୍କ ନିକଟରୁ ସବୁ ଟଙ୍କା ଓ ଅଳଙ୍କାର ନେଇଯାଇଥିଲେ । ପରେ ତାଙ୍କୁ ଶାଶୂ ଘର ଲୋକ ମାଡ଼ ମାରି ଘରୁ ତଡ଼ି ଦେଇଥିଲେ । ଏହି ଘଟଣା ପରେ ସିତାଂଶୁ ଚରମ୍ପା ଅଞ୍ଚଳର ଅନ୍ୟ ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ୨୦୨୪ ବିବାହ କରିଥିଲେ । ତାଙ୍କ ନିକଟରୁ ୧୫ ଲକ୍ଷ ଟଙ୍କା ନେଇଯାଇଥିଲେ । ତେବେ ବିବାହର ୬ ମାସ ସିତାଂଶୁ ପୂର୍ବରୁ ବିବାହ କରିଥିବା ୨ୟ ପତ୍ନୀ ଜାଣିବାକୁ ପାଇଥିଲେ । ଏନେଇ ସେ ଶାଶୂଘର ଲୋକଙ୍କୁ ପଚାରିଥିଲେ । ମାତ୍ର ଶାଶୂଘର ଲୋକ ଦ୍ୱିତୀୟ ପତ୍ନୀଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ଏହି ଘଟଣା ଜଣାପଡ଼ିବା ପରେ ସିତାଂଶୁ ଫେରାର ହୋଇ ବାହାରେ ରହୁଛନ୍ତି ।
ଦ୍ୱିତୀୟ ପତ୍ନୀ ଏନେଇ ପ୍ରଥମ ପତ୍ନୀଙ୍କ ସହ ଆଲୋଚନା କରିଥିଲେ । ପରେ ସମସ୍ତ ଘଟଣା ଜଣାପଡ଼ିଥିଲା । ଗୁରୁବାର ଦୁଇ ପତ୍ନୀ ଏସ୍ପି କାର୍ଯ୍ୟାଳୟକୁ ଆସି ସିତାଂଶୁଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । ଏହି ଦୁଇ ମହିଳାଙ୍କ ବ୍ୟତୀତ ସିତାଂଶୁ ଏବେ ଆଉ ଜଣେ ଯୁବତୀଙ୍କୁ ବିବାହ ପାଇଁ ଉଦ୍ୟମ କରୁଥିବା ୨ୟ ପତ୍ନୀ ଅଭିଯୋଗ କରିଛନ୍ତି । ଏପରିକି ଏହି ଘଟଣା ଆଗକୁ ନେଲେ ଅନ୍ତରଙ୍ଗ ଫଟୋକୁ ସୋସିଆଲ ମିଡିଆରେ ଛାଡ଼ିଦେବାକୁ ସିତାଂଶୁ ଧମକ ଦେଉଥିବା ସେ କହିଛନ୍ତି ।