ସକାଳେ ପହଞ୍ଚିବେ ପାଣ୍ଡିୟାନ : ସବୁ ବ୍ଲକରେ ଜୋରଦାର ପ୍ରସ୍ତୁତି


କଳାହାଣ୍ଡି: ସକାଳ ପାହିଲେ କଳାହାଣ୍ଡିରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ୍-ଟି ଇନଚାର୍ଜ ଭି. କାର୍ତ୍ତିକେୟନ ପାଣ୍ଡିୟାନ । ତାଙ୍କର ତିନିଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ କେବଳ କର୍ଲାମୁଣ୍ଡା ବ୍ଲକକୁ ବାଦ୍ ଦେଲେ ଅନ୍ୟ ୧୨ ବ୍ଲକ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଭଳି ତାଙ୍କ ବ୍ୟକ୍ତିଗତ ସଚିବଙ୍କ ଗସ୍ତକୁ ନେଇ କଳାହାଣ୍ଡି ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ସମେତ ବ୍ଲକ ପ୍ରଶାସନଗୁଡ଼ିକ ରାତିଦିନ ଏକ କରି ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ସେହିପରି ପାଣ୍ଡିୟାନଙ୍କ ଗସ୍ତକୁ ନେଇ ଜିଲ୍ଲାର ବିଜେଡି ମହଲ ଅତିମାତ୍ରାରେ ଉତ୍ସାହିତ ହୋଇପଡ଼ିଛି । ଏପରିକି ପାଣ୍ଡିୟାନଙ୍କ ଗସ୍ତ ପୂର୍ବରୁ ବିଜେଡି ଦଳର ସାଂଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଆସି ପ୍ରସ୍ତୁତିର ତଦାରଖ କରିଥିବା ଜଣାପଡ଼ିଛି । ଅପରପକ୍ଷରେ ଜିଲ୍ଲାରେ ଦୀର୍ଘ ଦିନ ଧରି ପୂରଣ ହେଉନଥିବା ଦାବିଗୁଡ଼ିକର ଲମ୍ବା ତାଲିକା ପ୍ରସ୍ତୁତ କରି ପାଣ୍ଡିୟାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦ୍ରୁଷ୍ଟି ଆକର୍ଷଣ କରିବାକୁ ଜିଲ୍ଲାର ଅନେକ ସାମାଜିକ, ନାଗରିକ ସଂଗଠନଙ୍କ ସମେତ ବିଭିନ୍ନ ବ୍ୟକ୍ତିବିଶେଷ ଚାହିଁ ବସିଥିବା ଆଲୋଚନା ହେଉଛି । ସେହିପରି ପୂର୍ବରୁ ଅନ୍ୟ ଜିଲ୍ଲା ଗସ୍ତ ସମୟରେ ପାଣ୍ଡିୟାନଙ୍କ ଜରିଆରେ ରାଜ୍ୟ ସରକାରଙ୍କ ତରଫରୁ ଅନେକ ଜିଲ୍ଲା ଆକର୍ଷଣୀୟ ପ୍ୟାକେଜ୍ ପାଇଥିବାବେଳେ କଳାହାଣ୍ଡି ଜିଲ୍ଲାବାସୀ ମଧ୍ୟ ଏକ ସୁନିଶ୍ଚିତ ପ୍ୟାକେଜ୍ ପାଇପାରନ୍ତି ବୋଲି ଆଲୋଚନା ହେଉଛି ।ସୂଚନାଯୋଗ୍ୟ, ଗତ ୨୦୦୩/୨୦୦୪ ମସୀହାରେ ଜିଲ୍ଲାର ଧର୍ମଗଡ଼ ଉପଖଣ୍ଡରେ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରି ଜଣେ ଉତ୍ତମ ପ୍ରଶାସକ ଭାବେ ଲୋକପ୍ରିୟ ହୋଇଥିବା ଭି. କେ. ପାଣ୍ଡିୟାନଙ୍କର କଳାହାଣ୍ଡି ଜିଲ୍ଲା ପ୍ରତି ଅଲଗା ଧରଣର ଆବେଗ ଥିବା ଚର୍ଚ୍ଚା ହୁଏ । ଏପରିକି ତାଙ୍କ କାର୍ଯ୍ୟକାଳ ସମୟରେ ଧର୍ମଗଡ଼ ଉପଖଣ୍ଡରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ସାଧିତ ହୋଇଥିବାବେଳେ କଳାହାଣ୍ଡିର କଳା ସଂସ୍କ୍ରୁତିର ବାର୍ତ୍ତାବହ କଳାହାଣ୍ଡି ଉତ୍ସବ ଧର୍ମଗଡ଼କୁ ସଂପ୍ରସାରିତ କରାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ଏଇ ପରିପ୍ରେକ୍ଷୀରେ ଜଣେ ପ୍ରଶାସକ ଅପେକ୍ଷା କଳାହାଣ୍ଡିବାସୀଙ୍କ ଜଣେ ହିତାକାଂକ୍ଷୀ ଭାବେ ତାଙ୍କୁ ଜିଲ୍ଲାବାସୀ ସ୍ବାଗତ କରିବାକୁ ଚାହିଁ ବସିଛନ୍ତି ।