Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦଶହରା ଭସାଣି ସମୟରେ କଟକ ସହର ଅଶାନ୍ତ ହେଲା କିପରି ଜାଣନ୍ତୁ

ଦରଘାବଜାର ଥାନା ଅଞ୍ଚଳରେ ଶୁକ୍ରବାର ରାତିରେ ଭସାଣି ଶୋଭାଯାତ୍ରା ଯାଉଥିବା ବେଳେ ଜୟଶ୍ରୀ ରାମ ଧ୍ୱନି ଦିଆଯାଇଥିଲା। ଏହାକୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପକ୍ଷରୁ ବିରୋଧ କରାଯାଇ ଢେଲାପଥର, କାଚବୋତଲ ମାଡ଼ କରାଯାଇଥିଲା। ଏଥିରେ ଝାଞ୍ଜିରୀମଙ୍ଗଳା ଭାଗବତ ପୂଜା କମିଟି ଓ ରାଉସାପାଟଣା ପୂଜା କମିଟି ସଦସ୍ୟଙ୍କ ସମେତ ଅନେକ ଲୋକ ଆହତ ହୋଇଥିଲେ। ସେଥିମଧ୍ୟରୁ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏହାକୁ ନେଇ ଉତ୍ତେଜନା ଲାଗି ରହିଛି। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ କଟକ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ମଧ୍ୟ ଆହତ ହୋଇଥିଲେ। ସ୍ଥିତି ଅଣାୟତ୍ତ ହେବାରୁ କମିଶନରେଟ ପୋଲିସ ପକ୍ଷରୁ ବିଏନ୍‌ଏସ୍‌ଏସ୍‌ର ୧୬୩ ଧାରା ଜାରି କରାଯିବା ସହ ଲାଠିଚାର୍ଜ କରାଯାଇଥିଲା। ଉତ୍ତେଜନା ଯୋଗୁ ପ୍ରାୟ ୩ଘଣ୍ଟାରୁ ଅଧିକ ସମୟ ଧରି ଭସାଣି ଯାତ୍ରା ବନ୍ଦ କରାଯାଇଥିଲା। ରାଉସାପାଟଣା ପୂଜା କମିଟିର ସଦସ୍ୟମାନେ ଧାରଣାରେ ବସିଥିଲେ ଏବଂ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ସମସ୍ତ ମେଢ଼ ରାସ୍ତାରେ ଅଟକି ରହିଥିଲା। ପରେ ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ, ଅତିରିକ୍ତ ସିପି ନରସିଂହ ଭୋଳ, କଟକ ଡିସିପି ଖିଲାରୀ, ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ, କଟକ ମହାନଗର ଶାନ୍ତି କମିଟି ସଭାପତି ଓ ସମ୍ପାଦକ ପହଞ୍ଚି ବୁଝାଶୁଝା କରିବାରୁ ଶନିବାର ସକାଳ ପ୍ରାୟ ୫ଟା ୩୦ରେ ମେଢ଼ ଦେବୀଗଡ଼ା ଅଭିମୁଖେ ଯାଇଥିଲା। ଏହି ଘଟଣାରେ ସାମିଲ ଥିବା ୬ ଜଣକୁ ପୋଲିସ ଗିରଫ କରିଥିଲା। ତେବେ ଏହି ଘଟଣାକୁ ନେଇ କଟକ ଭାଇଚାରା ବଜାୟ ରଖିବା ପାଇଁ ଭାଜପା, ବିଜେଡି, କଂଗ୍ରେସ ସ୍ବର ଏକତ୍ର କରିଛନ୍ତି। ସେହିପରି ପ୍ରଶାସନଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ମଧ୍ୟ ଶାନ୍ତି ବଜାୟ ରଖିବା ଉପରେ ଜୋର ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ