Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଢ଼ାରଜା ଦେବ ଙ୍କ ବାର୍ଷିକ ଦଶରା, ଲାଠିଯାତ୍ରା ରେ ପ୍ରବଳ ଜନ ସମାଗମ, ରକ୍ତ ରଞ୍ଜିତ ହେଲା ପୀଠ।

କଳାହାଣ୍ଡି :ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୁମାର ପୂର୍ଣ୍ଣିମା ପରେ ପଡୁଥିବା ଶନିବାର ଦିନ କଳାହାଣ୍ଡି ଜିଲ୍ଲାର ଆଦିବାସୀ ଜନଜାତି ବହୁଳ ଆମପାଣି ଘାଟି ପ୍ରାରମ୍ଭ ରେ ଥିବା ଜନ ମାନସ ର ଆରାଧ୍ୟ ଦେବତା ତଥା ସବୁ ଦେବାଦେବୀ ଙ୍କ ମାମୁଁ ପ୍ରଭୁ ଶ୍ରୀ ବୁଢ଼ାରଜା ଙ୍କ ବାର୍ଷିକ ଦଶରା ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ବୁଢ଼ାରଜା ଙ୍କ ମୁଖ୍ୟ ପୂଜକ ଫକୀର ପୁଝାରି ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସାରିବା ପରେ ସକାଳ ୭ ଘଣ୍ଟା ରୁ ମନ୍ଦିର ରେ ଶ୍ରଦ୍ଧାଳୁ ଙ୍କ ଦର୍ଶନ ପାଇଁ ଭକ୍ତ ଙ୍କ ସମାଗମ ଆରମ୍ଭ ହୋଇଥିଲା। ଦିନ ୧୨ ଘଣ୍ଟା ରେ ଗ୍ରାମ୍ୟ ପୁଝାରି ଙ୍କ ଘରୁ ବିଭିନ୍ନ ଦେବାଦେବୀ ଙ୍କ ଲାଠି ପୂଜନ କରାଯିବା ପରେ ପୂର୍ବ ରୀତିନୀତି ଅନୁଯାୟୀ ଲାଠିଯାତ୍ରା ପୂଜକ ଙ୍କ ଘରୁ ମୁଖ୍ୟ ମନ୍ଦିର ଅଭିମୁଖେ ବାହାରି ଥିଲା।ଲାଠିଯାତ୍ରା ରେ ଘଣ୍ଟୁଆ,ମାଦଳି, ଆଦିବାସୀ ପରମ୍ପରା ରେ ସଜ୍ଜିତ ସାଂସ୍କୃତିକ ଦଳ ଅଂଶଗ୍ରହଣ କରି ଲାଠିଯାତ୍ରା କୁ ବିଶେଷ ଆକର୍ଷଣୀୟ କରିଥିଲେ। ଲାଠିଯାତ୍ରା ରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ,କଳାହାଣ୍ଡି ରାଜା ଅନନ୍ତ ପ୍ରତାଓ ଦେଓ,ପୂର୍ବତନ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ,କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ, ସ୍ଥାନୀୟ ସରପଞ୍ଚ ରୁକ୍ମଣୀ ବାଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା ପ୍ରମୁଖ ସାମିଲ ହୋଇ ଅଞ୍ଚଳବାସୀ ଙ୍କୁ ବୁଢ଼ାରଜା ଦଶରା ର ଶୁଭେଚ୍ଛା ଜଣାଇଥିଲେ।
ଲାଠିଯାତ୍ରା ଆସିବା ବାଟରେ ମା ଭଣ୍ଡାର ଘରେନ ମନ୍ଦିର ନିକଟରେ ବାଲିଗଜା ଅର୍ପଣ କରା ଯାଇଥିଲା। ସେଠାରୁ ମୁଖ୍ୟ ରାସ୍ତା ଦେଇ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଗହଣ ରେ ଲାଠିଯାତ୍ରା ଦିନ ୨ ଘଣ୍ଟା ସମୟରେ ମୁଖ୍ୟ ମନ୍ଦିର ରେ ପହଞ୍ଚି ଥିଲେ। ମନ୍ଦିର ରେ ଲାଠିଯାତ୍ରା କୁ ସ୍ୱାଗତ କରିବା ପରେ ସମବେତ ଲାଠିକୁର୍ସି ମନ୍ଦିର ପରିସରରେ ପରିକ୍ରମା କରିଥିଲେ।ପରେ ଲାଖବିନ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୁଢ଼ାରଜା ଦେବ ଙ୍କ ନିକଟରେ ଶୁକ୍ଳ ଭୋଗ ଲାଗି ହେଉଥିବା ବେଳେ ପାର୍ଶ୍ଵ ଦେବାଦେବୀ ଜେନାବୁଢ଼ା ଙ୍କ ନିକଟରେ ମାନସିକ ଧାରୀ ଭକ୍ତ ମାନେ ମାନସିକ ପୂରଣ ପରେ ବୋଦା,କୁକୁଡ଼ା ବଳି ଅର୍ପଣ କରିଥିଲେ। ଶହ ଶହ ପଶୁପକ୍ଷୀ ବଳି ରେ ଜେନାବୁଢ଼ା ଙ୍କ ପୀଠ ରକ୍ତ ରଞ୍ଜିତ ହୋଇ ପଡ଼ିଥିଲା। ତେବେ ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ଭିଡ଼ ନିୟନ୍ତ୍ରଣ କରିବାରେ ପୋଲିସ ପ୍ରଶାସନ ର ତ୍ରୁଟି ପରିଲକ୍ଷିତ ହୋଇଥିଲା, ଯାହାକୁ ନେଇ ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।ବୁଢ଼ାରଜା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସଭାପତି ଋତୁରାଜ ମାଝୀ, ଉପ ସଭାପତି ଗଙ୍ଗାଧର ନାଏକ, ସମ୍ପାଦକ ସନ୍ତୋଷ କୁମାର ମାଝୀ, ସହ ସମ୍ପାଦକ ସୀତାକାନ୍ତ ନାଏକ,କୋଷାଧ୍ୟକ୍ଷ ଜିତେନ୍ଦ୍ର ପଣ୍ଡା, ଵିଘ୍ନେଶ୍ବର ନାଏକ, ମନୋରଞ୍ଜନ ବାଣୁଆ, ଟିକିଚନ୍ଦ୍ର ଧଙ୍ଗଡା ମାଝୀ,ଵିଘ୍ନେଶ୍ବର ନାଏକ,କୁମୁଦ ଚନ୍ଦ୍ର ପୁଝାରି,ଭାସ୍କର ରାଓ,ତ୍ରିନାଥ ପ୍ରସନ୍ନ ରାୟ, ବିନୋଦ ସିଂ,ଅଜୟ ପଣ୍ଡା,ସୁରେଶ ସାହୁ, ତିଲୋତ୍ତମା ନାଏକ, ତାପସ ରାୟ, ନେତ୍ରୀ ତିଲୋତ୍ତମା ନାଏକ ପ୍ରମୁଖ ଦଶରା ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories