Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡେଙ୍ଗାଗୁଡା ରେ ପ୍ରଭୁ ବୁଢ଼ାରଜା ଙ୍କ ବାର୍ଷିକ ଦଶରା,ଲାଠିଯାତ୍ରା ମୁଖ୍ୟ ଆକର୍ଷଣ।

କଳାହାଣ୍ଡି,୧୫/୧୦
ଆମପାଣି ଠାରେ ବିରାଜମାନ ପ୍ରଭୁ ବୁଢ଼ାରଜା ଙ୍କ ଦଶରା ଶେଷ ହୋଇଥିବା ବେଳେ ତାଙ୍କ ଦ୍ଵିତୀୟ ପୀଠ ଭାବେ କୋକସରା ବ୍ଲକ ମହିମା ପଞ୍ଚାୟତ ଡେଙ୍ଗାଗୁଡା ଗ୍ରାମ ରେ ପୂଜା ପାଉଛନ୍ତି। ଠାକୁରଙ୍କ ଅନନ୍ୟ ଦ୍ୱିତୀୟ ପୀଠ ଏ ପର୍ଯ୍ୟନ୍ତ ଲୋକାଲୋଚନ କୁ ଆସିପାରି ନାହିଁ। ଡେଙ୍ଗାଗୁଡା ଗ୍ରାମ ଠାରେ କାହିଁ ଅନାଦିକାଳ ରୁ ସ୍ଥାପିତ କରାଯାଇ ଆମପାଣି ବୁଢ଼ାରଜା ଦେବ ଙ୍କ ସମାନ ରୀତିକାନ୍ତି ଓ ବିଧି ଅନୁସାରେ ପୂଜା କରାଯାଉଛି।
ତେବେ ଲୋକଶୃତି ଅନୁସାରେ ଆଜିକୁ ଅନେକ ବର୍ଷ ପୂର୍ବରୁ ଏହି ଅଞ୍ଚଳ ରେ ଅଜଣା ମହାମାରୀର ପ୍ରଭାବ ଦେଖିବାକୁ ମିଳିଥିଲା। ତାପରେ ଗାଁରେ ଏକ ବୈଠକ ଡକାଯାଇ ଆମପାଣି ଦେବତାଙ୍କ ଆଶ୍ରୟ ନେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଅଞ୍ଚଳବାସୀ ମିଶି ଆମପାଣି ବୁଢ଼ାରଜା ଠାକୁରଙ୍କ ନିକଟରେ ଶରଣ ପଶିଥିଲେ ଏବଂ ଦେବା ଦେବୀଙ୍କୁ ନିଜ ଗାଁକୁ ଯିବା ପାଇଁ ଅନୁରୋଧ କରିଥିଲେ। ଗାଁ ଲୋକଙ୍କ ଅନୁରୋଧ କ୍ରମେ ଦେବତାଙ୍କ ସହ ପ୍ରତୀମା ଲାଠିକୁର୍ସି,ପୁଝାରୀ ଦିଶାରି ସହ ଡେଙ୍ଗାଗୁଡା କୁ ଆସି ଗାଁ ପରିକ୍ରମା କରିଥିଲେ । ସେହିଦିନ ଠାରୁ ଅଞ୍ଚଳରେ ଦୈବିକ ମହାମାରୀ ଆଉ ଦେଖା ଦେଲା ନାହିଁ, ଏପରିକି ପ୍ରାକୃତିକ ଦୁର୍ଭିକ୍ଷ ଦୁର୍ବିପାକ ଗାଁକୁ ଛୁଇଁ ପାରିଲା ନାହିଁ। ଏଭଳି ଆଶ୍ଚର୍ଯ୍ୟ ଦୈବ ଶକ୍ତି ଗାଁରେ ପଡିବାରୁ ସମସ୍ତେ ଖୁସିରେ ରହିଲେ ଏବଂ ଶପଥ ନେଲେ ଯେ ନିଜଗାଁରେ ବୁଢ଼ାରଜା ଠାକୁର ଙ୍କ ପୀଠ ସ୍ଥାପନ କରି ପୂଜାର୍ଚ୍ଚନା କରି ଆସୁଛନ୍ତି। ଆମପାଣି ବୁଢ଼ାରଜା ଠାକୁରଙ୍କ ସମାନ ରୀତିନୀତି ଓ ଉଭୟ ତନ୍ତ୍ର ଏବଂ ମନ୍ତ୍ର ସମନ୍ଵୟ ପରମ୍ପରାରେ ଡେଙ୍ଗାଗୁଡା ଗ୍ରାମରେ ପୂଜାର୍ଚ୍ଚନା ଏବଂ ଯାତ୍ରା ପାଳିତ ହୋଇଆସୁଛି । ଆମପାଣି ପ୍ରଭୁ ବୁଢ଼ାରଜାଙ୍କ ଦଶରା ପରେ ଡେଙ୍ଗାଗୁଡା ରେ ସ୍ଥାପିତ ବୁଢ଼ାରଜା ଙ୍କ ଦଶରା ପାଳନ କରାଯାଏ। ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ଲାଠିଯାତ୍ରା, ତ ଲା ଗାଁ ରୁ ବାଆଦି ଠାକୁର, ଗୌନ୍ତିଆ ପଡା ରୁ ମା ଠାକୁରାଣୀ, ତେତେଲପଡା ରୁ ମା ହୀଙ୍ଗୁଳାଇ ଙ୍କ ଲାଠି ଆସି ପହଞ୍ଚିବା ପରେ ଏକ ବିରାଟ ପଟୁଆର ଗ୍ରାମ୍ୟ ପୂଜକ ଲାବାନ୍ୟ ପୁଝାରି ଙ୍କ ଘରୁ ବିଭିନ୍ନ ସାଂସ୍କୃତିକ ଦଳ ର ବାଜାଗାଯା ରେ ଗ୍ରାମ ପରିକ୍ରମା କରି ଶୋଭାଯାତ୍ରାରେ ବାହାରି ବୁଢାରଜାଙ୍କ ମୁଖ୍ୟ ପୀଠକୁ ପହଞ୍ଚେ।ଏହା ସହ ଏହାପରେ ମନ୍ଦିରରେ ମୁଖ୍ୟ ପୂଜାପାଠ ଓ ଦେବା ଦେବୀଙ୍କ ଦୈବୀ ଶକ୍ତି ପ୍ରଦର୍ଶନ ଆରମ୍ଭ ହୁଏ ଓ ସନ୍ଧ୍ୟାରେ ମାନସିକ ଧାରୀ ଶ୍ରଦ୍ଧାଳୁ ମାନେ ଶୁକ୍ଲ ଭୋଗ ସହ ବୋଦା କୁକୁଡ଼ା ବଳି ଅର୍ପଣ କରିଥିଲେ।
ରାତିରେ ବୁଢ଼ାରଜା ମଞ୍ଚ ରେ କମିଟି ସଭାପତି ରୋହିତ ଅଗ୍ରୱାଲ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ଧର୍ମଗଡ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ସ୍ଥାନୀୟ ସରପଞ୍ଚ ଇଶରାମ କୋଳଥିଆ, ସମିତି ସଭ୍ୟ ଘନଶ୍ୟାମ ନାଏକ, ବିଜେପି ନେତା ମଧୁବନ ପାତ୍ର ପ୍ରମୁଖ ଉପସ୍ଥିତ ରହି ମଞ୍ଚ ଉଦଘାଟନ ସହ ଅଞ୍ଚଳବାସୀ ଙ୍କୁ ଦଶରା ମହୋତ୍ସବ ର ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଶିକ୍ଷକ ଅମିତ କୁମାର ମହାନ୍ତି ଙ୍କୁ କ୍ରୀଡା ଓ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଥିବା ଡେଙ୍ଗାଗୁଡା ୟୁପି ସ୍କୁଲ ର ଶିକ୍ଷକ ଏମ.ଏନ.ପଦ୍ମଲୋଚନ ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ପରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଡେଙ୍ଗାଗୁଡା ବୁଢ଼ାରଜା ପୂଜା କମିଟି ପକ୍ଷରୁ ଉପ ସଭାପତି କ୍ଷେତୁରାମ ପାତ୍ର, ସମ୍ପାଦକ ଆଶିଷ କୁମାର ମହାନ୍ତି, ସହ ସମ୍ପାଦକ କିଶୋର ଚନ୍ଦ୍ର ମେହେର, କୋଷାଧ୍ୟକ୍ଷ କିଶୋର ଚନ୍ଦ୍ର ନାଏକ ମକରନ୍ଦ ବାଗ ସମେତ ଡେଙ୍ଗାଗୁଡା ଗ୍ରାମବାସୀ ମାନେ ବୁଢ଼ାରଜା ଦଶରା ମହୋତ୍ସବ ପାଳନ ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ