ହୁତୁହୁତୁ ହୋଇ ଜଳିଗଲା ୧ ନମ୍ବର ହାଟ; ସ୍ମାର୍ଟ ସିଟି ହାଟରେ ଲାଗିଲା ନିଆଁ

ହୁତୁହୁତୁ ହୋଇ ଜଳିଗଲା ୧ ନମ୍ବର ହାଟ ; ସ୍ମାର୍ଟ ସିଟି ହାଟରେ ଲାଗିଗଲା ନିଆଁ
ରାଜଧାନୀର ସବୁଠୁ ବଡ଼ ଓ ବ୍ୟସ୍ତବହୁଳ ୟୁନିଟ -୧ ହାଟରେ ଅଗ୍ନିକାଣ୍ଡ ଘଟିଛି । ସେହି ହାଟର ୫ ଟି ପରିବା ଗୋଦାମ ଜଳିପୋଡି ପାଉଁଶ ହୋଇ ଯାଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ପରିବା ନଷ୍ଟ ହୋଇଯାଇଛି। ଅନ୍ୟାନ୍ୟ ଆସବାବପତ୍ର ଜଳି ପୋଡି ପାଉଁଶ ହୋଇ ଯାଇଛି ।
ୟୁନିଟ -୧ ମାର୍କେଟ ପଛପଟରେ ଶହେରୁ ଅଧିକ ପରିବା ଦୋକାନ ରହିଛି । ତା ପଛ ଗଳିରେ ପରିବା ଗୋଦାମ ଅଛି । ବୁଧବାର ଅପରାହ୍ନ ୨ ଟା ବେଳେ ପରିବା ହାଟରେ ସେତେଟା ଗହଳି ଚହଳି ନ ଥିଲା । ରାଜଧାନୀ ହାଟ କଞ୍ଚା ପରିବା ମହାଜନ ସଂଘ ନିକଟ ହୃଷିକେଶ ଓଝାଙ୍କ ପରିବା ଗୋଦାମରେ ପ୍ରଥମେ ନିଆଁ ଲାଗିଥିଲା | ଦେଖୁ ଦେଖୁ ନିଆଁ ଅନ୍ୟ ପରିବା ଗୋଦାମକୁ ବ୍ୟାପିଥିଲା ।
ଶଙ୍କର ପରିବା ଗୋଦାମ, ଭଗି ଖଲିପାତ୍ର ଗୋଦାମ ଓ ଦୁର୍ଯୋଧନଙ୍କ ପରିବା ଗୋଦାମରେ ମଧ୍ୟ ନିଆଁ ଲାଗିଥିଲା । ସଙ୍ଗେ ସଙ୍ଗେ କଳ୍ପନା, ସେକ୍ରେଟାରୀଏଟ ଓ ଚନ୍ଦ୍ରଶେଖରପୁର ଦମକଳ କେନ୍ଦ୍ର ଓ ବରମୁଣ୍ଡା ଓଫଡ୍ରାରୁ ୧୧ଟି ଦମକଳ ଗାଡ଼ି ଘଟଣସ୍ଥଳ ରେ ପହଞ୍ଚିଥିଲା । ଅଗ୍ନିଶମବାହିନୀ ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛନ୍ତି । ଅଗ୍ନିଶମ ନିର୍ଦେଶାଳୟ ଡିଜି ଡ. ସୁଧାଂଶୁ ଷଡ଼ଙ୍ଗୀ ରାଜ୍ୟ କମାଣ୍ଡ ସେଣ୍ଟରରୁ ଅଗ୍ନିଶମ ଉଦ୍ଧାର କାର୍ଯ୍ୟକୁ ତଦାରଖ କରୁଛନ୍ତି । ଅଗ୍ନିଶମ ଡ଼ିଆଇଜି ଉମାଶଙ୍କର ଦାଶ କହିଛନ୍ତି, ଅଗ୍ନିକାଣ୍ଡ ପ୍ରାୟତଃ ଆୟତ୍ତ ହୋଇ ସାରିଲାଣି କେଉଁ କାରଣ ଯୋଗୁଁ ନିଆଁ ଲାଗିଥିଲା, ତାହା ଅନୁସନ୍ଧାନ କରାଯିବ ।