ଆଡିଲେଡରେ କେମିତି ରହିଛି ବିରାଟ-ରୋହିତଙ୍କ ରେକର୍ଡ…

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ଗୁରୁବାର ଅର୍ଥାତ୍ ୨୩ ଅକ୍ଟୋବର ଦିନ ଆଡିଲେଡ୍ ର ଓଭାଲ୍ରେ ଖେଳାଯିବ। ଏହି ଗ୍ରାଉଣ୍ଡରେ କୋହଲିଙ୍କର ଏହା ପଞ୍ଚମ ଦିନିକିଆ ମ୍ୟାଚ୍ ହେବ। ତେବେ ଏଠାରେ କୋହଲିଙ୍କର ରେକର୍ଡ ଭଲ ଥିଲେ ମଧ୍ୟ ରୋହିତଙ୍କ ରେକର୍ଡ ଭଲ ରହିନାହିଁ।
ଟିମ୍ ଇଣ୍ଡିଆ ବର୍ତ୍ତମାନ୍ ଅଷ୍ଟ୍ରେଲିଆ ଗସ୍ତରେ ରହି ତିନୋଟି ଦିନିକିଆ ସହ ପାଞ୍ଚଟି ଟି-୨୦ ମ୍ୟାଚ୍ ଖେଳିବ। ତେବେ ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ସାତ ୱିକେଟରେ ପରାସ୍ତ ହୋଇଥିଲା। ତେଣୁ ବର୍ତ୍ତମାନ ଭାରତ ପାଇଁ ଦ୍ୱିତୀୟ ଦିନିକିଆ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି। ରୋହିତ ଶର୍ମା ପ୍ରଥମ ମ୍ୟାଚ୍ରେ ୮ ରନ୍ କରି ଆଉଟ୍ ହୋଇଥିବା ବେଳେ କୋହଲି ନିଜର ଖାତା ମଧ୍ୟ ଖୋଲିପାରିନଥିଲେ। କିନ୍ତୁ ଆଡିଲେଡ୍ରେ କୋହଲିଙ୍କ ରେକର୍ଡ ଭଲ ଥିବାରୁ ସେ ଏଠାରେ ଏକ ଭଲ ଇନିଂସ ଖେଳିପାରିବେ ବୋଲି ଆଶା କରାଯାଉଛି।
ତେବେ ରୋହିତ ଶର୍ମାଙ୍କ ଏକଦିବସୀୟ ଷ୍ଟ୍ରାଇକ୍ ରେଟ୍ ୭୩.୧୮ ହୋଇଥିଲେ ମଧ୍ୟ ସେ ଆଡିଲେଡ୍ ଓଭାଲରେ ଛଅଟି ମ୍ୟାଚ୍ ଖେଳି ୨୧.୮୩ ହାରରେ ମୋଟ ୧୩୧ ରନ୍ କରିଛନ୍ତି। ତେବେ ସେ ଛଅଟି ଇନିଂସରେ ଆଠଟି ଚୌକା ଏବଂ ତିନୋଟି ଛକା ମାରିଛନ୍ତି। ଅପରପକ୍ଷେ କୋହଲି ଆଡିଲେଡ୍ ଓଭାଲରେ ଚାରୋଟି ଦିନିକିଆ ଖେଳି ୬୧.୦୦ ଷ୍ଟ୍ରାଇକ୍ ରେଟରେ ୨୪୪ ରନ୍ କରିଛନ୍ତି ଓ ଏଠାରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୦୭ ରନ୍ ବୋଲି ରିପୋର୍ଟରୁ ଜଣାପଡ଼ିଛି। ଏଠାରେ କୋହଲି ଏକଦିବସୀୟରେ ଦୁଇଟି ଶତକ ମଧ୍ୟ ହାସଲ କରିଛନ୍ତି। ଏଥିସହିତ ତାଙ୍କର ଏକଦିବସୀୟ ହାରାହାରି ୮୩.୮୪ ବୋଲି ଜଣାପଡ଼ିଛି। ଏହି ଗ୍ରାଉଣ୍ଡରେ ସେ ୧୫ଟି ଚୌକା ଏବଂ ଦୁଇଟି ଛକା ମାରିଛନ୍ତି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ ଗୁରୁବାର ଦିନ ସକାଳ ୯ଟା ସମୟରେ ଆରମ୍ଭ ହେବ ଓ ଟସ୍ ମ୍ୟାଚର ଅଧ ଘଣ୍ଟା ପୂର୍ବରୁ ଅର୍ଥାତ୍ ୮.୩୦ଟା ସମୟରେ ହେବ। ଏହି ମ୍ୟାଚର ଲାଇଭ୍ ଷ୍ଟ୍ରିମିଂ JioHotstar ଆପ୍ ଏବଂ ୱେବସାଇଟରେ ଉପଲବ୍ଧ ରହିବ।