Dhanterasରେ ସୁନା କିଣିବା ପୂର୍ବରୁ ହୁଅନ୍ତୁ ସାବଧାନ! ₹୧ ଲକ୍ଷ ତଳକୁ ଖସିପାରେ କି Gold Price?
ଧନତେରସ୍ରେ ସୁନା କିଣିବା ଭାରତୀୟ ପରମ୍ପରାର ଏକ ଅଂଶ। କିନ୍ତୁ ଏଥର ସୁନା କିଣିବା ପୂର୍ବରୁ ନିବେଶକଙ୍କୁ ଟିକିଏ ଭାବିବାକୁ ପଡ଼ିପାରେ। ୨୦୨୬ ଜାନୁଆରୀରେ ୧୦ ଗ୍ରାମ ସୁନାର ଦର ପ୍ରାୟ ₹୧.୮୦ ଲକ୍ଷର ରେକର୍ଡ ସ୍ତର ଛୁଇଁଥିବାବେଳେ ନଭେମ୍ବର ବେଳକୁ ଏହା ପ୍ରାୟ ₹୧.୪୦ରୁ ₹୧.୫୦ ଲକ୍ଷକୁ ଖସିଆସିଛି। ଅର୍ଥାତ୍ ରେକର୍ଡ ଦରଠାରୁ ପ୍ରାୟ ୨୫ ପ୍ରତିଶତ ହ୍ରାସ। ଏବେ ବଜାରରେ ସବୁଠାରୁ ବଡ଼ ପ୍ରଶ୍ନ, ଏହି ହ୍ରାସ ଏତିକିରେ ଅଟକିବ ନା ଆଗକୁ ଆହୁରି ଖସିବ ସୁନା ଦର? ଏପରିକି ସୁନାର ଦାମ୍ ୧ ଲକ୍ଷ ଟଙ୍କା ତଳକୁ ଖସିବାର ସମ୍ଭାବନା ଅଛି କି? ବଜାର ବିଶ୍ଳେଷକଙ୍କ ମତରେ ଆମେରିକାର ସୁଧହାର, ଡଲାରର ଶକ୍ତି, ବଣ୍ଡ୍ ୟିଲ୍ଡ ଓ ବଡ଼ ନିବେଶକଙ୍କ ଲାଭ ଉଠାଇବା ଏବେ ସୁନା ଦର ଉପରେ ଚାପ ସୃଷ୍ଟି କରୁଛି। ନଭେମ୍ବରରେ ଭାରତୀୟ ବଜାରରେ ₹୧.୪୦ରୁ ₹୧.୫୦ ଲକ୍ଷ ମଧ୍ୟରେ ସୁନା କାରବାର ହୋଇପାରେ ବୋଲି କିଛି ବିଶ୍ଳେଷକ ଆକଳନ କରିଛନ୍ତି।
ଗତ ୨୦ ବର୍ଷର ସୁନା ଦର ଇତିହାସ ଦେଖିଲେ ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ମିଳୁଛି। ୨୦୦୬ରେ ୧୦ ଗ୍ରାମ ସୁନାର ଦର ପ୍ରାୟ ₹୮,୪୦୦ ଥିବାବେଳେ ୨୦୧୦ରେ ଏହା ₹୧୮,୪୪୮ ଓ ୨୦୧୨ରେ ପ୍ରାୟ ₹୨୯,୯୨୬ରେ ପହଞ୍ଚିଥିଲା। କିନ୍ତୁ ଏହାପରେ ସୁନା ଦରରେ ବଡ଼ ଅଭିବୃଦ୍ଧି ହୋଇନଥିଲା। ୨୦୧୮ରେ ମଧ୍ୟ ଦର ପ୍ରାୟ ₹୩୦,୬୯୨ ଥିଲା। ଅର୍ଥାତ୍ ୨୦୧୨ରୁ ୨୦୧୮ ପର୍ଯ୍ୟନ୍ତ ପ୍ରାୟ ୬ ବର୍ଷ ସୁନା ଦର ଏକ ସୀମିତ ପରିସରରେ ରହିଥିଲା। ଏହାପରେ ୨୦୧୯ରୁ ପୁଣି ଦର ବଢ଼ିବା ଆରମ୍ଭ ହୋଇଥିଲା ଏବଂ ୨୦୨୫ରେ ଏହା ପ୍ରାୟ ₹୧.୩୩ ଲକ୍ଷରେ ପହଞ୍ଚିଥିଲା। ଅର୍ଥାତ୍ ଅତୀତରେ ମଧ୍ୟ ସୁନାରେ ଦ୍ରୁତ ବୃଦ୍ଧି ପରେ ଦୀର୍ଘ ସମୟ ଧରି ଦର ସ୍ଥିର ରହିବାର ନଜିର ରହିଛି। ତେଣୁ ବର୍ତ୍ତମାନର ଦର ହ୍ରାସ ପରେ ପୁଣି ଏକ ଦୀର୍ଘ Correction କିମ୍ବା Consolidation ପର୍ଯ୍ୟାୟ ଆସିବାର ସମ୍ଭାବନାକୁ ଅଣଦେଖା କରିହେବ ନାହିଁ।
ତେବେ ସୁନା ଦର ୧ ଲକ୍ଷ ଟଙ୍କା ତଳକୁ ଖସିବା ନିଶ୍ଚିତ ବୋଲି କହିବା ପାଇଁ ଏବେ କୌଣସି ଠୋସ୍ ଆଧାର ନାହିଁ। ବର୍ତ୍ତମାନର ₹୧.୪୦ ଲକ୍ଷ ଦରରୁ ୧ ଲକ୍ଷକୁ ଖସିବା ପାଇଁ ଆହୁରି ପ୍ରାୟ ୨୯ ପ୍ରତିଶତ ହ୍ରାସ ଆବଶ୍ୟକ। ଏପରି ହ୍ରାସ ପାଇଁ ଡଲାରରେ ବଡ଼ ଶକ୍ତିବୃଦ୍ଧି, ଆମେରିକାର ଉଚ୍ଚ ସୁଧହାର, ଭୂରାଜନୈତିକ ଉତ୍ତେଜନା ହ୍ରାସ ଓ ବିଶ୍ୱସ୍ତରରେ ସୁନା ଚାହିଦା କମିବା ଭଳି ଅନେକ କାରଣ ଏକାଠି କାମ କରିବାକୁ ପଡ଼ିବ। ଅନ୍ୟପଟେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ସୁନା କ୍ରୟ ଓ ବିଶ୍ୱ ଅର୍ଥନୈତିକ ଅନିଶ୍ଚିତତା ଦରକୁ ସମର୍ଥନ ଦେଇପାରେ। ତେଣୁ ଧନତେରସ୍ରେ ସୁନା କିଣିବାକୁ ଚାହୁଁଥିଲେ କେବଳ ଦର ବଢ଼ିବ ବୋଲି ଭାବି ଏକାଥରକେ ବଡ଼ ନିବେଶ କରିବା ପରିବର୍ତ୍ତେ ଆବଶ୍ୟକତା ଅନୁସାରେ କିଣିବା ଓ ନିବେଶ ପାଇଁ ହେଲେ ପର୍ଯ୍ୟାୟକ୍ରମେ କିଣିବା ବିଚାର କରନ୍ତୁ। ମନେରଖନ୍ତୁ, ଧନତେରସ୍ରେ ସୁନା କିଣିବା ଶୁଭ ହୋଇପାରେ, କିନ୍ତୁ ଯେକୌଣସି ଦରରେ କିଣିବା ଲାଭଜନକ ହେବ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ।

