ଭାରତ ଏବଂ ଅଷ୍ଟ୍ରେଲିଆ ମ୍ୟାଚରେ ଟିମ୍ ଇଣ୍ଡିଆର ବାଜିମାତ
ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜର ତୃତୀୟ ମ୍ୟାଚ୍ ସିଡନୀ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଯେଉଁଥିରେ ଭାରତୀୟ ଦଳ ୯ ୱିକେଟରେ ବିଜୟୀ ହୋଇ ସିରିଜରେ କ୍ଲିନ୍ ସୁଇପ୍ ରୁ ନିଜକୁ ରକ୍ଷା କରିଥିଲା। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ବୋଲର ଏବଂ ବ୍ୟାଟ୍ସମ୍ୟାନ୍ ଉଭୟଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପରେ ଆୟୋଜକ ଅଷ୍ଟ୍ରେଲିଆ ଦଳ ୪୬.୪ ଓଭରରେ ୨୩୬ ରନରେ ସୀମିତ ରହିଥିଲା। ଯାହା ପରେ ଭାରତୀୟ ଦଳ ମାତ୍ର ଗୋଟିଏ ୱିକେଟ ହରାଇ ୩୮.୩ ଓଭରରେ ଏହି ଟାର୍ଗେଟ ହାସଲ କରିଥିଲା। ରୋହିତ ଶର୍ମାଙ୍କ ୧୨୧ ରନର ଅପରାଜିତ ଇନିଂସ ଦେଖିବାକୁ ମିଳିଥିଲା, ପ୍ରଥମ ଦୁଇଟି ମ୍ୟାଚ୍ ରେ ଖାତା ମଧ୍ୟ ଖୋଲିପାରି ନଥିବା ବିରାଟ କୋହଲି ମଧ୍ୟ ଏହି ମ୍ୟାଚ୍ ରେ ୭୪ ରନର ଅପରାଜିତ ଇନିଂସ ଖେଳିବାରେ ସଫଳ ହୋଇଥିଲେ। ଭାରତ ବିପକ୍ଷରେ ପ୍ରଥମ ଦୁଇଟି ଦିନିକିଆ ଜିତିବା ପରେ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ଭାରତ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜର କ୍ଲିନ୍ ସୁଇପ୍ କରିବାକୁ ଚାହିଁ ରହିଥିଲା। କିନ୍ତୁ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଚମତ୍କାର ବ୍ୟାଟିଂ ଦ୍ୱାରା ସେମାନଙ୍କର ସ୍ୱପ୍ନ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି।
୨୩୭ ରନର ଲକ୍ଷ୍ୟ ଧାର୍ଯ୍ୟ କରି ଭାରତୀୟ ଦଳର ପ୍ରାରମ୍ଭିକ ଯୋଡ଼ି ଅଧିନାୟକ ଶୁଭମନ ଗିଲ ଏବଂ ରୋହିତ ଶର୍ମା ଏକ ଦମଦାର ଆରମ୍ଭ କରିଥିଲେ। ପ୍ରଥମ ୱିକେଟ ପାଇଁ ୬୯ ରନର ଭାଗୀଦାରି କରିଥିଲେ। ଗିଲ ୨୪ ରନ କରି ଜୋଶ ହାଜେଲଉଡଙ୍କ ଦ୍ୱାରା ଆଉଟ ହୋଇଥିଲେ। ବ୍ୟାଟିଂ କରିବାକୁ ଆସିଥିବା ବିରାଟ କୋହଲି ପ୍ରଥମ ବଲ୍ ରେ ଖାତା ଖୋଲିବା ପରେ ଆଶ୍ୱସ୍ତିର ନିଶ୍ୱାସ ନେଇଥିଲେ। ସେ ରୋହିତ ଶର୍ମାଙ୍କ ସହ ମିଶି ଅଷ୍ଟ୍ରେଲିୟ ଦଳକୁ ୱିକେଟ ନେବାର କୌଣସି ସୁଯୋଗ ଦେଇନଥିଲେ। ଦୁହେଁ ଦ୍ୱିତୀୟ ୱିକେଟ ପାଇଁ ୧୬୮ ରନର ଭାଗୀଦାରି କରିଥିଲେ।

