ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ: ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ବୋଲି ପ୍ରକାଶ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱତନ୍ତ୍ର ରିଲିଫ୍ କମିଶନର ଦେଓରଞ୍ଜନ କୁମାର ସିଂ ସମ୍ଭାବ୍ୟ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କ ସହ ବାତ୍ୟାପୂର୍ବ ପ୍ରସ୍ତୁତି ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ।
ଭାରତୀୟ ପାଣିପାଗ କେନ୍ଦ୍ରର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶାଖାର ସୂଚନା ଅନୁଯାୟୀ ଏବେ ବାତ୍ୟା ଗଭୀର ଅବପାତରେ ପରିଣତ ହୋଇଛି । ଏହାର ତୀବ୍ରତା ବୃଦ୍ଧି ପାଉଥିଲେ ମଧ୍ୟ ଗତିପଥ ସ୍ପଷ୍ଟ ହୋଇପାରିନାହିଁ । ଏହାର ପ୍ରଭାବରେ ଅକ୍ଟୋବର ୨୭, ୨୮ ଓ ୨୯ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ଏଥିରେ ରାଜ୍ୟର ୧୫ଟି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଥିପାଇଁ
ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀକୁ ସଜାଗ ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ସରକାର କୃଷି, ଜଳସମ୍ପଦ, ଶକ୍ତି, ପଞ୍ଚାୟତିରାଜ, ସ୍ୱାସ୍ଥ୍ୟ, ସମବାୟ, ଗ୍ରାମ୍ୟ ଉନ୍ନୟନ, ପ୍ରାଣୀସମ୍ପଦ ବିଭାଗ ସହ ସମନ୍ୱୟ ରକ୍ଷା କରି ପ୍ରସ୍ତୁତି ଜାରି ରଖିଛନ୍ତି। ରାଜ୍ୟର ତଳିଆ ଓ ଜଳମଗ୍ନ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରାଯାଇଛି। ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି। ସେଠାରେ ଖାଦ୍ୟପଦାର୍ଥ, ପାନୀୟ ଜଳ, ଗୋଖାଦ୍ୟ, ଆବଶ୍ୟକୀୟ ଔଷଧ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି । ସରକାରଙ୍କ ସହ ନିୟମିତ ସମ୍ପର୍କରେ ରହିବା ସହ ଆତଙ୍କିତ ନହେବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ।
ଏହି ଅବସରରେ ସ୍ୱତନ୍ତ୍ର ରିଲିଫ୍ କମିଶନର କହିଛନ୍ତି ଯେ ଜନସାଧାରଣ ସରକାରଙ୍କ ଦ୍ୱାରା ବାତ୍ୟା ସମ୍ପର୍କିତ ସୂଚନାକୁ ଗୁରୁତ୍ୱ ଦିଅନ୍ତୁ । ଅଯଥାରେ ଆତଙ୍କିତ ନହେବାକୁ ଅନୁରୋଧ କରିବା ସହ ସରକାର ନିରନ୍ତର ବାତ୍ୟା ସମ୍ପର୍କିତ ସୂଚନା ଜାରି କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିବା ସେ ପ୍ରକାଶ କରିଛନ୍ତି ।

