ବାତ୍ୟା ମୋନ୍ଥା ପାଇଁ ଦୁଇଦିନ ଲାଗି ଅଙ୍ଗନବାଡ଼ି ଛୁଟି ଘୋଷଣା
ଭୁବନେଶ୍ବର: ବାତ୍ୟାରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ଏବେ କେନ୍ଦ୍ରୀଭୂତ ହୋଇ ରହିଛି। ଏହା ଗୋପାଳପୁର ଠାରୁ ୮୬୦ କିମି ଏବଂ ଆନ୍ଧ୍ରପ୍ରଦେଶ କାକିନାଡ଼ା ଠାରୁ ୭୧୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ମୋନ୍ଥା ପ୍ରଭାବରେ ୨୮ ଓ ୨୯ ତାରିଖରେ ଓଡ଼ିଶାର ୮ ଜିଲ୍ଲାରେ ଭୀଷଣ ବର୍ଷାର ଚେତାବନୀ ଦିଆଯାଇଛି।
ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି ଦୁଇଦିନ ପାଇଁ ଅଙ୍ଗନବାଡ଼ି ଛୁଟି ଘୋଷଣା କରାଯାଇଛି। ଦକ୍ଷିଣ ଓଡ଼ିଶା ସମେତ ଅନ୍ୟ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ରେଡ୍ ଜୋନ୍ରେ ଥିବା ୮ଟି ଜିଲ୍ଲା ରହିଛି।ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛି । ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସ୍କୁଲକୁ ଆଜି ଓ କାଲି ପାଇଁ ଛୁଟି ଘୋଷଣା କରାଯାଇଛି ।
ତେବେ ବାତ୍ୟାକୁ ନଜରରେ ରଖି ଓଡ୍ରାଫ, ଏନ୍ଡିଆରଏଫ୍ ଏବଂ ଅଗ୍ନିଶମ ବାହିନୀର ଟିମ୍ ନିୟୋଜିତ ହୋଇଛନ୍ତି । ଆବଶ୍ୟକ ପଡ଼ିଲେ ଆହୁରି ଟିମ୍ ଦିଆଯିବ ବୋଲି ରାଜ୍ୟ ସରକାର ଓ ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ସମୁଦ୍ର ଭିତର ବଳ ଗୋଟାଇ ସ୍ଥଳଭାଗ ମୁହାଁ ଗଭୀର ଅବପାତ । ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ମଝିରେ ସ୍ଥଳଭାଗ ଛୁଇଁବ ବାତ୍ୟା । ୨୮ରେ ଉପକୂଳ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ଆଇଏମଡି।

