ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସୂର୍ଯ୍ୟକାନ୍ତ
ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗାଭାଇ ଆସନ୍ତା ନଭେମ୍ବର ୨୩ ତାରିଖରେ ଅବସର ନେବାକୁ ଯାଉଛନ୍ତି। ତେଣୁ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ପରବର୍ତ୍ତୀ ସିଜେଆଇ ଭାବରେ ନିଯୁକ୍ତି ଦେବା ପାଇଁ ସେ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ସୁପାରିଶ କରିଛନ୍ତି। ଯଦି କେନ୍ଦ୍ର ସରକାର ତାଙ୍କ ସୁପାରିଶକୁ ଗ୍ରହଣ କରନ୍ତି ତାହେଲେ ସୂର୍ଯ୍ୟକାନ୍ତ ନଭେମ୍ବର ୨୪ ତାରିଖରେ ୫୩ତମ ସିଜେଆଇ ହେବେ।
ତେବେ ବର୍ତ୍ତମାନର ସିଜେଆଇଙ୍କ ପରେ ଜଷ୍ଟିସ ସୂର୍ଯ୍ୟକାନ୍ତ ହେଉଛନ୍ତି ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି। ସୁପ୍ରିମକୋର୍ଟର ବିଚାରପତିମାନଙ୍କ ଅବସର ବୟସ ୬୫ ବର୍ଷ। ଯଦି ସେ ପରବର୍ତ୍ତୀ ସିଜେଆଇ ହୁଅନ୍ତି ତେବେ ସେ ପ୍ରଧାନ ବିଚାରପତି ଭାବରେ ପ୍ରାୟ ୧.୨ ବର୍ଷ ଧରି ପୂର୍ଣ୍ଣ କାର୍ଯ୍ୟ କରିପାରିବେ। ନିୟମ ଅନୁଯାୟୀ ବିଚାରପତିଙ୍କ ଅବସରର ଗୋଟିଏ ମାସ ପୂର୍ବରୁ ତାଙ୍କ ଉତ୍ତରାଧିକାରୀଙ୍କୁ ସୁପାରିଶ କରିବାକୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ସିଜେଆଇଙ୍କୁ ଅନୁରୋଧ କରନ୍ତି। ଯାହାଫଳରେ ସିଜେଆଇ ନାମ ସୁପାରିଶ କରିଥାନ୍ତି।
ଜଷ୍ଟିସ ସୂର୍ଯ୍ୟକାନ୍ତ ହରିଆଣାର ହିସାରରେ ଜନ୍ମଗ୍ରହଣ କରିଥିଲେ ଓ ୧୯୮୧ ମସିହାରେ ହିସାରର ସରକାରୀ ପୋଷ୍ଟଗ୍ରାଜୁଏଟ୍ କଲେଜରୁ ସ୍ନାତକ ପଢ଼ିଥିଲେ। ପରେ ସେ ୧୯୮୪ ମସିହାରେ ରୋହତକର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରୁ ଆଇନ ପାଠପଢ଼ା ସମାପ୍ତ କରି ସେହି ବର୍ଷ, ହିସାର ଜିଲ୍ଲା କୋର୍ଟରେ ଅଭ୍ୟାସ ଆରମ୍ଭ କରିଥିଲେ। ସେଠାରେ ଗୋଟିଏ ବର୍ଷ ରହିବା ପରେ ପଞ୍ଜାବ-ହରିଆଣା କୋର୍ଟରେ ଅଭ୍ୟାସ କରିବାକୁ ଚାଲିଯାଇଥିଲେ। ୨୦୦୪ ମସିହାରେ ତାଙ୍କୁ ପଞ୍ଜାବ-ହରିଆଣା କୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା। ପରବର୍ତ୍ତୀ ସମୟରେ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ୨୦୧୮ ମସିହାରେ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା। ୨୪ ମଇ, ୨୦୧୯ ମସିହାରେ ତାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା।

