ବାତ୍ୟା ମୋନ୍ଥା ଟଳିବାର ୪୮ ଘଣ୍ଟାରେ ବିଦ୍ୟୁତ୍ ପୁନଃସ୍ଥାପନ କରିବୁ: ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ବଳ ଗୋଟାଉଛି ବାତ୍ୟା ମୋନ୍ଥା। ଆଜି ସନ୍ଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁବା ନେଇ ସୂଚନା ରହିଛି। ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ। ୯ଟି ଜିଲ୍ଲାରେ ତାର, ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ମହଜୁଦ୍ ରଖାଯାଇଛି। ବାତ୍ୟା ଟଳିବାର ୪୮ ଘଣ୍ଟାରେ ବିଦ୍ୟୁତ୍ ପୁନଃସ୍ଥାପନ କରିବୁ।
ଧାନ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି। ତେଣୁ ଜିଲ୍ଲାପାଳ ମାନଙ୍କୁ ତୁରନ୍ତ ରିପୋର୍ଟ ଦେବାକୁ କୁହାଯାଇଛି। ସେ କହିଛନ୍ତି ଯେ, ଶକ୍ତି ବିଭାଗ ତରଫରୁ ଇଲେକ୍ଟ୍ରିକ୍ ଖୁଣ୍ଟ ଭାଙ୍ଗିଲେ ତୁରନ୍ତ ସଜାଡିବା ପାଇଁ ବ୍ୟବସ୍ଥା ହୋଇଛି। ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ୯ ଜିଲ୍ଲାରେ ତାର, ଟ୍ରାନ୍ସଫର୍ମର, ଇଲେକ୍ଟ୍ରିକ୍ ଖୁଣ୍ଟ ମହଜୁଦ କରି ରଖାଯାଇଛି। ଦାନା ସମୟରେ ୭ ଦିନ ଭିତରେ ଟଙ୍କା ଦିଆଯାଇଥିଲା। ଏବେ ମଧ୍ୟ ସେହି ଢଙ୍ଗରେ କ୍ଷତିପୂରଣ ଦିଆଯିବ ବୋଲି କନକ ବର୍ଦ୍ଧନ ସିଂଦେଓ କହିଛନ୍ତି। ଆନ୍ଧ୍ର ଉପକୂଳ କାକିନାଡା ଦେଇ ଅତିକ୍ରମ କରିବ ବାତ୍ୟା।
ଲ୍ୟାଣ୍ଡଫଲ ବେଳେ ପବନର ବେଗ ସର୍ବାଧିକ ୧୧୦ କିମି ରହିବ। ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଗତି କରି ନିକଟତର ହେଉଛି। ଆଜି ସନ୍ଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ର ମଛଲିପଟନମ କଳିଙ୍ଗପଟନମ କାକିନାଡ଼ା ଠାରେ ଲ୍ୟାଣ୍ଡ ଫଲ କରିବ। ଓଡ଼ିଶାରେ ଲ୍ୟାଣ୍ଡଫଲ ନ କଲେ ବି ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ବର୍ଷା ପବନ ରହିବ।

