ପୋଲିସ ହାତରେ ବ୍ରାଉନ ସୁଗାର ସିଣ୍ଡିକେଟର ଡନ ବ୍ରଦର୍ସ
ଭୁବନେଶ୍ୱର: ଜଗତସିଂହପୁର ପୋଲିସ ହାତରେ ଧରା ପଡିଛନ୍ତି ବ୍ରାଉନ ସୁଗାର ସିଣ୍ଡିକେଟ ଚଳାଉଥିବା ଡ଼ନ ବ୍ରଦର୍ସ। ସଦର ଥାନା ଓହଳ ଗ୍ରାମର ଭିକି ଓରଫ ସୌମ୍ୟାଜିତ ପରିଜା ଓ ଜାକି ଓରଫ ସ୍ବପ୍ନଜିତ ପରିଜା ସମେତ ୬ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନେ ଦୀର୍ଘ ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ରାଉନ ସୁଗାର କାରବାରକୁ ବିସ୍ତାରିତ କରିଥିଲେ।
ସେମାନଙ୍କ ସହ ଓହଳ ଗ୍ରାମର ତୁଷାର ରଞ୍ଜନ ଦାସ, ଆଭିଜାତ୍ୟ ସାହୁ, ରଞ୍ଜନ କୁମାର ଗୋଛାୟତ ଓ କୋକିଢି଼ଅ ଗ୍ରାମର ରଞ୍ଜିତ ଦାସ ମଧ୍ୟ ଏହି କାରବାରରେ ସାମିଲ ଥିଲେ। ସମସ୍ତ ଅଭିଯୁକ୍ତ ମାନେ ସ୍ଥାନୀୟ ମଙ୍ଗଳପୁର ଠାରେ ଥିବା ବେଳେ ପୋଲିସ ସୂଚନା ପାଇ ଚଢ଼ାଉ କରି ୬ଜଣଙ୍କୁ ଗିରଫ କରିଛି ଏବଂ ଜଣେ ଫେରାର ଅଛି |
ପୋଲିସ ସେମାନଙ୍କ ଠାରୁ ପ୍ରାୟ ୭୦ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହିତ ଗୋଟିଏ ବାଇକ ଓ ୩ ଟି ମୋବାଇଲ ମଧ୍ୟ ଜବତ କରିଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୭ ଲକ୍ଷରୁ ଉର୍ଦ୍ଧ୍ବ ହେବ। ଏମାନେ ମୁର୍ସିଦାବାଦରୁ ବ୍ରାଉନ ସୁଗାର ଆଣି ସାରା ଜିଲ୍ଲାରେ ବ୍ୟବସାୟ କରୁଥିଲେ। ପୂର୍ବରୁ ଡ଼ନ ବ୍ରଦର୍ସର ମୁଖ୍ୟ ସୌମ୍ୟାଜିତ ପରିଜା ଏସଟିଏଫ ହାତରେ ଭୁବନେଶ୍ୱରରୁ ଗିରଫ ହୋଇଥିଲା ଏବଂ ତା ଠାରୁ ୩ କେଜି ବ୍ରାଉନ ସୁଗାର ଓ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିଛି ପୋଲିସ।

